ସର୍ବୋଚ୍ଚ ଅଦାଲତଙ୍କ ଚାପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କରିଛି ଉତ୍ତର ପ୍ରଦେଶ କ୍ରାଇମବ୍ରାଞ୍ଚ । ଲଖିମପୁର ଖେରିରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡି ମଡାଇ ଚାଷୀଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶୀଷ ମିଶ୍ରଙ୍କ ବିରୋଧରେ । ତେବେ ଘଟଣାର ଛ ଦିନ ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଛି । କ୍ରାଇମବ୍ରାଞ୍ଚ ଦେଇଥିବା ସୂଚନା ଅନୁଯାୟୀ, ଆଶୀଷ ମିଶ୍ରଙ୍କୁ ବାରଘଣ୍ଟା ଜେରା କରାଯାଇଥିଲେ ହେଁ ସେ ପୋଲିସକୁ ସହଯୋଗ କରି ନ ଥିଲେ । ଅନେକ ପ୍ରଶ୍ନର ସେ ଉତ୍ତର ଦେଇ ନ ଥିଲେ । ଶେଷରେ ଗତକାଲି ରାତିରେ ୟୁପି କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରି ସ୍ଥାନୀୟ ଅଦାଲତରେ ହାଜର କରାଇଥିଲା । କୋର୍ଟ ତାଙ୍କୁ 14 ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛି ।
ୟୁପି କ୍ରାଇମବ୍ରାଞ୍ଚ ଅଧିକାରୀ ଦେଇତିବା ସୂଚନା ଅନୁଯାୟୀ, ଆଶୀଷ ମିଶ୍ର ସେଦିନ ଘଟଣାସ୍ଥଳରେ ନ ଥିଲେ ବୋଲି କହିଛନ୍ତି । ଦିନ ଦୁଇଟାରୁ ଚାରିଟା ପର୍ଯ୍ୟନ୍ତ ସେ ଅନ୍ୟତ୍ର ଥିଲେ ବୋଲି କହିଛନ୍ତି । କିନ୍ତୁ ତାଙ୍କ ମୋବାଇଲ ନେଟଓ୍ବାରକରୁ ଜଣାପଡିଛି, ସେ ଘଟଣାସ୍ଥଳରେ ହିଁ ଥିଲେ ।
ଲଖିମପୁର ଖେରିରେ ଚାଷୀଙ୍କୁ ଏସୟୁଭି ଗାଡି ମଡାଇ ମାରିବା ଘଟଣାରେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଥିଲେ । ଦୁର୍ଘଟଣା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା କଥା । ମାତ୍ର ଖେରି ମାମଲାରେ ପୋଲିସ ତାହା କରି ନ ଥିଲା । କେନ୍ଦ୍ରମନ୍ତ୍ରୀଙ୍କ ପୁଅ ହୋଇଥିବାରୁ ୟୁପି ପୋଲିସ ଢିଲା ମାରିଥିଲା । ବରଂ ପୋଲିସ ନିକଟରେ ହାଜର ହେବା ପାଇଁ ତାଙ୍କୁ ସମନ କରିଥିଲା । ସର୍ବୋଚ୍ଚ ଅଦାଲତ ଏହାକୁ ସହଜରେ ଗ୍ରହଣ କରି ନ ଥିଲେ । ଅଭିଯୁକ୍ତ ଯିଏ ବି ହେଉ, ତା ବିରୋଧରେ ସମାନ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ କୋର୍ଟ ଗୁରୁତ୍ବ ଦେଇଥିଲେ ।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଚାଷୀ ସଂଗଠନଗୁଡିକ ଏକଜୁଟ ହୋଇଛନ୍ତି । ନ୍ୟାୟ ଦାବିରେ ପ୍ରତିବାଦ ଜାରି ରହିଥିବା ବେଳେ ଆସନ୍ତା 18ରେ ରେଳରୋକୋ ଓ 26ରେ ଲକ୍ଷ୍ନୌରେ ମହାପଞ୍ଚାୟତ ପାଇଁ ଆହ୍ବାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here