ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ଭଦ୍ରକ, କେନ୍ଦ୍ରପଡା ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ବନ୍ୟା ପରିସ୍ଥିତି ଓ ଜିଲ୍ଲାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୭ଦିନ ରିଲିଫ ଘୋଷଣା କରିଛନ୍ତି । ଏ ବାବଦରେ ବୃଦ୍ଧାବୃଦ୍ଧ ମାନଙ୍କୁ ଦୈନିକ ୬୦ ଟଙ୍କା ଓ ୧୨ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ୪୫ ଟଙ୍କା ହିସାବରେ ରିଲିଫ ପ୍ରଦାନ କରାଯିବ । ସେହିପରି ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପ୍ରାଣୀମାନଙ୍କୁ ମାଗଣାରେ ଚିକିତ୍ସା ସହିତ ଟିକାକରଣ ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସପ୍ତାହ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାପାଇଁ ଜିଲ୍ଲାପାଳମାନଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି । ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଜଳସମ୍ପଦ ବିଭାଗ ପ୍ରମୂଖ ସଚିବ, କୃଷି ବିଭାଗ ପ୍ରମୁଖ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର, ମସ୍ୟ ଓ ପଶୁପାଳନ ବିଭାଗ ସଚିବ ପ୍ରମୁଖ ଯୋଗ ଦେଇଥିଲେ ।