ମଲ୍ ଭିତରେ ସବୁ କିଛି ଠିକଠାକ୍ ଚାଲିଥିଲା । ସୋକେ ସପିଂରେ ବ୍ୟସ୍ତ ଥିଲେ । ହଠାତ୍ ଗୁଳିର ଆବାଜ୍ ଶୁଭିଲା । ଲୋକେ ଇତସ୍ତତଃ ଦୌଡିବାକୁ ଲାଗିଲେ । ମାତ୍ର ମଲ୍ ବାହାରୁ ବନ୍ଧୁକଧାରୀ ବ୍ୟକ୍ତିଜଣକ ଆଖିବୁଜା ଗୁଳି ଚଳାଇବାରେ ଲାଗିଥିଲେ । ଚାହୁଁ ଚାହୁଁ ଗୁଳିମାଡରେ ଆଠଜଣ ବ୍ୟକ୍ତି ଟଳିପଡିଲେ । ମଲ୍ ଭିତରେ ଗୁଳିମାଡ ଚାଲିଥିବା ବେଳେ ସେଠାରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀ ସତର୍କ ହୋଇପଡିଲେ । ଗୁଳି ଆସୁଥିବା ଦିଗକୁ ସତର୍କତାର ସହ ଯାଇ ଗୁଳି ଚଳାଉଥିବା ବ୍ୟକ୍ତିଙ୍କୁ ନିଜ ବନ୍ଧୁକରୁ ଗୁଳି କରି ମାରିଦେଇଥିଲେ । ପରେ ପୋଲିସକୁ ଫୋନ୍ କରି ଜଣାଇବା ପରେ ଆହତ ବ୍ୟକ୍ତିଙ୍କୁ ହସପିଟାଲକୁ ପଠାଯାଇଥିଲା । ଗୁଳିମାଡରେ 8 ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ଆମେରିକାର ଟେକ୍ସାସରେ । ଗତ ଶନିବାର ଦିନ ଅପରାହ୍ନରେ ଏହି ବର୍ବର ଘଟଣା ଘଟିଛି । ଟେକ୍ସାସର ଗଭର୍ଣ୍ଣର ଏହାକୁ ଅବର୍ଣ୍ଣନୀୟ ଦୁଃଖଦ ଘଟଣା ବୋଲି କହିଛନ୍ତି । ଆମେରିକାରେ ଏଭଳି ଘଟଣା ବାରମ୍ବାର ଘଟୁଛି । କେତେବେଳେ ଶିକ୍ଷାନୁଷ୍ଠାନ ଭିତରେ ଗୁଳିକାଣ୍ଡ ହେଉଛି ତ ଆଉ କେତେବେଳେ ସର୍ବସାଧାରଣ ସ୍ଥାନରେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମଲରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀଙ୍କ ପାଇଁ ଅନେକଙ୍କ ଜୀବନ ବଞ୍ଚିଯାଇଛି ।

LEAVE A REPLY

Please enter your comment!
Please enter your name here