ଆଗକୁ ନିର୍ବାଚନ ଆସୁଛି । ନୂଆ ଯୋଜନା, ନୂଆ ସ୍ବପ୍ନ ଦେଖାଇବାକୁ ଆରମ୍ଭ ହେବ କସରତ୍ । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ‘ମୋ ଘର’ ଯୋଜନା । ରାଜ୍ୟ କ୍ୟାବିନେଟ ଆଜି ଏହି ଯୋଜନାରେ ମୋହର ମାରିଛି । ମାସିକ 25 ହଜାର ଟଙ୍କାରୁ କମ୍ ରୋଜଗାର କରୁଥିବା ପରିବାର ଏହି ଯୋଜନାରେ ବ୍ୟାଙ୍କରୁ ମୋ ଘର ଋଣ ନେଇପାରିବେ । ଅବଶ୍ୟ ମୋ ଘର ଯୋଜନାର ସୁପଳ ପାଇବାକୁ ହେଲେ ଆବଶ୍ୟକ ଯୋଗ୍ୟତା ମଧ୍ୟରେ ରହିଛି, ହିତାଧିକାରୀ ସରକାରୀ ଚାକିରୀ କରି ନ ଥିବେ । ପୂର୍ବରୁ 70 ହଜାର ଟଙ୍କାରୁ କମ୍ ଋଣ ଆଣିଥିବେ । ସେହିପରି ଜଳସେଚିତ ଜମି 5 ଏକର ଓ ଅଣ-ଜଳସେଚିତ ଜମି 15 ଏକରରୁ କମ୍ ଥିବା ଦରକାର । ଗୋଟିଏ ବଖରା କଚ୍ଚା ଘର ଅବା ଗୋଟିଏ ବଖରା ଛାତ ଘର ଥିଲେ ଏହି ଯୋଜନାରେ ହିତାଧିକାରୀ ଋଣ ପାଇଁ ଆବେଦନ କରିପାରିବେ । ଘର ନିର୍ମାଣ, ମରାମତି ଏବଂ ସଂପ୍ରସାରଣ ପାଇଁ ହିତାଧିକାରୀ 1 ଲକ୍ଷରୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କରୁ ଋଣ ନେଇପାରିବେ । 1 ଲକ୍ଷ ଋଣ ପାଇଁ ସରକାର ସାଧାରଣ ବର୍ଗକୁ 30 ହଜାର ଏବଂ ଏସସିଏସଟି ବର୍ଗର ହିତାଧିକାରୀଙ୍କୁ 40 ହଜାର ଟଙ୍କା ସବସିଡ୍ ଦେବେ । ସେହିପରି ଦେଢ ଲକ୍ଷ ଟଙ୍କା ଋଣ ପାଇଁ 45 ହଜାର ଓ 55 ହଜାର ଟଙ୍କା ସବସିଡ୍ ମିଳିବ । 2 ଓ 3 ଲକ୍ଷ ଟଙ୍କା ଋଣ ଉପରେ 60 ହଜାର ଓ 70 ହଜାର ଟଙ୍କା ସବସିଡ୍ ମିଳିବ । ଆସନ୍ତା ଜୁନ୍ 16 ତାରିଖରୁ ହିତାଧିକାରୀ ଆବେଦନ କରିପାରିବେ । ପୂର୍ବରୁ ସରକାରଙ୍କ ଘର ଯୋଜନାରେ ସୁଫଳ ପାଇ ନ ଥିବା ଗରିବ ହିତାଧିକାରୀ ଏହାଦ୍ବାରା ଉପକୃତ ହୋଇପାରିବେ ବୋଲି ସରକାର ଆଶା କରୁଛନ୍ତି । ଅନ୍ୟପକ୍ଷରେ ବିରୋଧୀ ସରକାରଙ୍କ ଏଭଳି ଯୋଜନା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଏବଂ ଲୋକଙ୍କୁ ଭୂଆଁ ବୁଲେଇବା ପାଇଁ ବୋଲି କଟାକ୍ଷ କରିଛନ୍ତି । ନିର୍ବାଚନ ଆସିଲେ ସରକାର ଏମିତି ଯୋଜନା କରନ୍ତି ବୋଲି କହିଛନ୍ତି ବିରୋଧୀ ।