ମଣିପୁରରେ ଦୁଇଜଣ ଆଦିବାସୀ ଯୁବତୀଙ୍କୁ କିଛି ଯୁବକ ଜୋରଜବରଦସ୍ତ ପଡିଆକୁ ନେଇ ଗଣଦୁଷ୍କର୍ମ କଲେ । ଗଣଦୁଷ୍କର୍ମ କରିବା ପରେ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ । ଏଭଳି ଲଜ୍ଜାକର ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ଦେଶରେ ଆଲୋଡନ ଖେଳି ଯାଇଛି । ଗତ ମେ 4 ତାରିଖରେ ମଣିପୁର ରାଜଧାନୀ ଇଂଫାଲ ଠାରୁ 35 କିଲୋମିଟର ଦୂର କାଙ୍ଗପୋପିରେ ଏହି ଘଟଣା ଘଟିଥିଲା । କାଙ୍ଗପୋପି ଥାନାରେ ଏ ସଂକ୍ରାନ୍ତରେ ଏତଲା ହୋଇଥିଲେ ମଧ୍ୟ ପୋଲିସ ଏହା ଅନ୍ୟ ଜିଲ୍ଲାର ଘଟଣା କହି ଚୁପ୍ ହୋଇ ବସିଥିଲା । ଘଟଣା ଚର୍ଚ୍ଚାକୁ ଆଶିବା ପରେ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କେନ୍ଦ୍ର ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ପୀଡିତାଙ୍କୁ ତୁରନ୍ତ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଏହି ଘଟଣାକୁ ନେଇ ଇଣ୍ଡିଜେନସ ଟ୍ରାଇବାଲ ଲିଡର ଫୋରମ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ପୀଡିତାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛି । ଏହି ଘଟଣାରେ ମଣିପୁର ପୋଲିସ ତୁରନ୍ତ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଟ୍ବିଟ୍ କରିଛି । ଭାଇରାଲ ଭିଡିଓରେ କେତେକ ଅଜ୍ଞାତ ସଶସ୍ତ୍ର ଯୁବକ ଦୁଇ ଯୁବତୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିବା ସେମାନଙ୍କୁ ଉଲଗ୍ନ କରିବାର ଦୃଶ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here