ମଣିପୁରରେ ଦୁଇ ମହିଳାଙ୍କୁ ଗୋଟିଏ ଗୋଷ୍ଠୀ ପୋଲିସ ଉପସ୍ଥିତିରେ ଉଠାଇ ନେବା, ଗଣଦୁଷ୍କର୍ମ କରିବା ଏବଂ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାରେ ପୀଡିତାଙ୍କ ସ୍ବାମୀ ଦୁଃଖ ଓ କ୍ଷୋଭରେ ଭାଙ୍ଗିପଡିଛନ୍ତି । ସେ ଭାରତୀୟ ସେନାରେ ଆସାମ ରେଜିମେଣ୍ଟରେ ସୁବେଦାର ଭାବେ ଦୀର୍ଘବର୍ଷ କାର୍ଯ୍ୟ କରିଛନ୍ତି । କାରଗିଲ ଯୁଦ୍ଧରେ ଏବଂ ଶ୍ରୀଲଙ୍କାକୁ ଶାନ୍ତିସେନାରେ ସାମିଲ ହୋଇ ସେ ଦେଶର ସୁରକ୍ଷା ପାଇଁ ଲଢେଇ କରିଥିଲେ ହେଁ ନିଜ ପତ୍ନୀଙ୍କୁ ସୁରକ୍ଷା ଦେଇପାରିଲିନି ବୋଲି କହିଛନ୍ତି । ଘଟଣା ପାଇଁ ସେ ମଣିପୁର ପୋଲିସକୁ ସଂପୂର୍ଣ୍ଣ ରୂପେ ଦାୟୀ କରିଛନ୍ତି । ପୋଲିସ ଉପସ୍ଥିତିରେ ଗଣ୍ଡଗୋଳକାରୀମାନେ ତାଙ୍କ ସ୍ତ୍ରୀ ଓ ଅନ୍ୟଜଣେ ମହିଳାଙ୍କୁ ଉଠାଇ ନେଇଥିଲେ ହେଁ ପୋଲିସ ନିରବ ରହିବା ତାଙ୍କୁ ଚକିତ କରିଛି ବୋଲି ସେ କହିଛନ୍ତି । ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ମଣିପୁରରେ ସଂଖ୍ୟାଗରିଷ୍ଠ ସଂପ୍ରଦାୟର ଲୋକେ ସବୁବେଳେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରି ଆସୁଛନ୍ତି । ଏବେ ଏହାର ଏଖ ସ୍ଥାୟୀ ସମାଧାନ କରିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି ।