ସୁଦର୍ଶନଙ୍କ ସଂକଳ୍ପ । ଶ୍ରୀମନ୍ଦିର ଦ୍ବାର ଖୋଲା ନ ଗଲେ ମନ୍ଦିର ଭିତରକୁ ଯିବିନି ।
ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପାଇଁ ଦାବି ଜୋର୍ ଧରିଥିବା ବେଳେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ନୂଆ ସଂକଳ୍ପ କରିଛନ୍ତି । ସୁଦର୍ଶନ କହିଛନ୍ତି, କୋଭିଡ୍ ସମୟରୁ ଶ୍ରୀମନ୍ଦିରର ତିନି ଦ୍ବାର ବନ୍ଦ ରଖି କେବଳ ସିଂହଦ୍ବାର ଖୋଲା ଯାଉଛି । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯିବା ଆବଶ୍ୟକ । ପୁରୀରେ ଅନେକ ଭକ୍ତ ଅଛନ୍ତି, ଯିଏ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ନ କରିବା ଯାଏଁ ଜଳ ସ୍ପର୍ଶ କରନ୍ତି ନାହିଁ । ତେଣୁ ପୁରୀ ବାସିନ୍ଦା ଭକ୍ତଙ୍କ ପାଇଁ ତୁରନ୍ତ ଆଉ ଗୋଟିଏ ଦ୍ବାର ଖୋଲାଯିବା ନିହାତି ଦରକାର । ସେହିପରି ପରଂପରା ଅନୁଯାୟୀ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ସେ ଦାବି କରିଛନ୍ତି । ଦାବି ପୂରଣ ନ ହେବା ଯାଏଁ ସେ ପ୍ରତିଦିନ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ପ୍ରାର୍ଥନାରେ ବସିବେ ବୋଲି କହିଛନ୍ତି । ଏଥିସହିତ ସିଂହଦ୍ବାର ସହିତ ଆଉ ଏକ ଦ୍ବାର ନ ଖୋଲିବା ଯାଏଁ ସେ ମନ୍ଦିର ଭିତରକୁ ଯିବେ ନାହିଁ ବୋଲି ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, କୋଭିଡ ସମୟରୁ ପ୍ରଶାସନ ଶ୍ରୀମନ୍ଦିର ଚାରିଦ୍ବାର ମଧ୍ୟରୁ ତିନିଦ୍ବାର ବନ୍ଦ ରଖି କେବଳ ସିଂହଦ୍ବାର ବାଟେ ଭକ୍ତମାନଙ୍କୁ ଛଡା ଯାଉଛି । ଏହାଦ୍ବାରା ଭକ୍ତମାନେ ଅଯଥା ଭିଡର ସମ୍ମୁଖୀନ ହେଉଛନ୍ତି । ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ ରହୁଛନ୍ତି । ପୂର୍ବରୁ ଭକ୍ତମାନେ ମନ୍ଦିର ଭିତରକୁ ଚାରିଦ୍ବାର ବାଟେ ପ୍ରବେଶ ଓ ପ୍ରସ୍ଥାନ କରିପାରୁଥିଲେ ।

LEAVE A REPLY

Please enter your comment!
Please enter your name here