ରାଜ୍ୟର ପ୍ରଭାବଶାଳୀ ଆଇଏଏସ ଅଫିସର ଭି.କେ. ପାଣ୍ଡିୟାନ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଗତ 20 ତାରିଖ ଶୁକ୍ରବାର ଦିନ ଆବେଦନ କଲେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟକୁ ଏ ସଂପର୍କରେ ଚିଠି ଲେଖାଗଲା । ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ଚିଠି ମିଳିଥିଲା । ଶନିବାର ଓ ରବିବାର ସରକାରୀ ଛୁଟି ରହିଥିଲା । ସୋମବାର ଦିନ କେନ୍ଦ୍ର ସରକାର ପାଣ୍ଡିୟାନଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ମଂଜୁରୀ ଦେଇଥିଲେ । ସୋମବାର ସଂଧ୍ୟାରେ ପାଣ୍ଡିୟାନଙ୍କ ଭିଆରଏସ ସୂଚନା ଗଣମାଧ୍ୟମକୁ ମିଳିଥିଲା । ପ୍ରଶ୍ନ ଉଠୁଛି, ରାଜ୍ୟର ଜଣେ ପ୍ରଭାବଶାଳୀ ଭାବେ ପରିଚିତ ଆଇଏଏସ ଅଫିସରଙ୍କ ଭିଆରଏସକୁ କେନ୍ଦ୍ର ସରକାର ଏଥେ ଶୀଘ୍ର ମଂଜୁରୀ ଦେଲେ କେମିତି ? ବିଭାଗୀୟ ମଂଜୁରୀ ପାଇଁ ଅତି କମରେ ଗୋଟିଏ ସପ୍ତାହ ଲାଗିଯିବା କଥା । କିନ୍ତୁ ପାଣ୍ଡିୟାନଙ୍କ କ୍ଷେତ୍ରରେ ତାହା ହେଲାନି । ଏଥିରୁ ସ୍ପଷ୍ଟ ହୋଇଛି, ପାଣ୍ଡିୟାନ କେବଳ ଓଡିଶାରେ ନୁହେଁ, କେନ୍ଦ୍ରରେ ମଧ୍ୟ ପ୍ରଭାବଶାଳୀ । କେନ୍ଦ୍ର ସରକାରଙ୍କ ସମର୍ଥନରେ ପାଣ୍ଡିୟାନଙ୍କ ଭିଆରଏସକୁ ବିଭାଗୀୟ ମଂଜୁରୀ ମିଳିଛି । କେନ୍ଦ୍ର ସରକାର ଚାହିଁଥିଲେ ଭିକେ ପାଣ୍ଡିୟାନଙ୍କ ଭିଆରଏସକୁ ଆଉ କିଛି ଦିନ ରୋକିପାରିଥାନ୍ତେ । ମାତ୍ର ସେମିତି କିଛି ନ କରି ତୁରନ୍ତ ମଂଜୁରୀ ପଛରେ ବିଜେଡି-ବିଜେପି ଭିତରେ ଥିବା ଭିତିରି ସଂପର୍କ ସ୍ପଷ୍ଟ ହୋଇଯାଇଛି ବୋଲି ବିରୋଧୀ କଂଗ୍ରେସ କହିଛି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ପାଣ୍ଡିୟାନଙ୍କ ଭିଆରଏସ ନେବା ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ କ୍ୟାବିନେଟ ପାହ୍ୟାରେ ନିଯୁକ୍ତି ଦେବାକୁ ନେଇ ସେ ଆଶ୍ଚର୍ଯ୍ୟଚକିତ ନୁହଁନ୍ତି । ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କ୍ଷମତା ଦଖଲ ପାଇଁ ଏହା ଆଉ ଏକ ଷଡଯନ୍ତ୍ର । ଓଡିଶାବାସୀ ଏହାର ଜବାବ ଦେବେ ।

LEAVE A REPLY

Please enter your comment!
Please enter your name here