କାଳିଆ ଦର୍ଶନରେ ବ୍ୟାପକ ଅବ୍ୟବସ୍ଥା । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍କଳିତ ଦର୍ଶନ ପାଇଁ ପ୍ରଶାସନ ନେଇଥିବା ବ୍ୟବସ୍ଥାକୁ ନେଇ ପୂର୍ବରୁ ଅନେକ ବ୍ୟକ୍ତି, ସଂଗଠନ ଅହ୍ଗୁଳି ଉଠାଇଥିଲେ ହେଁ ପ୍ରଶାସନ ସଜାଡିଲାନି । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ପ୍ରତି କର୍ଣ୍ଣପାତ ବି କଲାନି । ଯାହାର ପରିଣାମ ଭୋଗୁଛନ୍ତି ଭକ୍ତ । ସାଧାରଣତଃ କାର୍ତ୍ତିକ ମାସରେ ହବିଷ୍ୟାଳିମାନଙ୍କ ଭିଡ ପୁରୀରେ ହୋଇଥାଏ । ବୃଦ୍ଧବୃଦ୍ଧାମାନେ କାର୍ତ୍ତିକ ବ୍ରତ ପାଳନ କରି କାଳିଆ ଦର୍ଶନ କରିବାକୁ ମନ ବଳେଇଥାନ୍ତି । ମାତ୍ର ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ପୂର୍ବଭଳି ସିଂହଦ୍ବାର ଦେଇ ଧାଡିରେ ଘଣ୍ଟା ଘଣ୍ଟା ଧରି ଭକ୍ତଙ୍କୁ ଅପେକ୍ଷା କରିବାକୁ ପଡୁଛି । ଦୀର୍ଘ ସମୟ ଧରି ଅପେକ୍ଷା କରି ଠିଆ ହେବା ପରେ ଲମ୍ବାଧାଡିରେ ଚାଲି ଚାଲି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପରେ ପୁଣି ଲୁହାବାଡ ଭିତରେ ଭକ୍ତଙ୍କୁ ଠିଆ ହେବାକୁ ପଡୁଛି । ଅନେକ ଭକ୍ତ ଅଣନିଶ୍ବାସୀ ହୋଇଯାଉଛନ୍ତି । ବଡଦାଣ୍ଡରେ ଓ ବେଢା ଭିତରେ ଧାଡିରେ ଛିଡା ହେବା ପରେ ମନ୍ଦିର ଭିତରକୁ ଭକ୍ତମାନଙ୍କୁ ଏମିତି ଭାବରେ ଛଡା ଯାଉଛି, ଯେମିତି ଦଳାଚକଟା ହେବ । ଭିତର ଦ୍ବାର ପାଖରେ ଭକ୍ତଙ୍କ ଠେଲାପେଲା ଦୃଶ୍ୟ ନ କହିବା ଭଲ । କାଳିଆ ଦର୍ନନ ପାଇଁ ଶ୍ରୀମନ୍ଦିର ନିର୍ମାଣ ବେଳେ ଚାରି ଦ୍ବାର ଥିବା ବେଳେ ଭକ୍ତଙ୍କୁ ଗୋଟିଏ ଦ୍ବାର ଦେଇ ଛଡା ଯିବାକୁ ସମସ୍ତେ ନାପସନ୍ଦ କରିଛନ୍ତି । କିନ୍ତୁ ପ୍ରଶାସନ ସବୁ ଶୁଣି ନ ଶୁଣିଲା ପରି କାମ କରୁଛି । କେବଳ ଭିଆଇପି ଓ ଭିଭିଆଇପି ଭକ୍ତମାନେ ସୁବିଧାରେ କାଳିଆ ଦର୍ଶନ କରିପାରୁଛନ୍ତି । ସେହିପରି ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ସମସ୍ତ ବ୍ୟବସ୍ଥା ରହିଛି ବୋଲି ପ୍ରଶାସନ ଡେଙ୍ଗୁରା ପିଟୁଥିଲେ ବାସ୍ତବପକ୍ଷେ କିଛି ସୁବିଧା ନାହିଁ । ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁବି କେହି ନାହାଁନ୍ତି । ପଞ୍ଚୁକ ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଆଉ ଗୋଟିଏ ସ୍ବତନ୍ତ୍ର ଧାଡି କରିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ବଡଦାଣ୍ଡରେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଥିବା ଭକ୍ତର କଷ୍ଟ ଲାଘବ କରିବା ପାଇଁ ସରକାର କିଛି ବ୍ୟବସ୍ଥା ନ କରିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here