ସାକାର ହେଲା 90 ବର୍ଷ ତଳର ସ୍ବପ୍ନ । 1932 ମସିହାରୁ ମୟୁରଭଞ୍ଜ ଜିଲ୍ଲାର ବାଦାମପାହାଡକୁ ରେଳପଥ ସଂଯୋଗ ହୋଇଥିଲା । ମାତ୍ର କେବଳ ପାସେଞ୍ଜର ଟ୍ରେନ ଯାତାୟତ କରୁଥିଲା । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବାଦାମପାହାଡବାସୀଙ୍କ ଦୀର୍ଘବର୍ଷର ସ୍ବପ୍ନ ସାକାର ହୋଇଛି । ଆଜି ରାଷ୍ଟ୍ରପତି ଶସ୍ରୀମତୀ ମୁର୍ମୁ ନିଜ ହାତରେ ପତାକା ଦେଖାଇ ଦୁଇଟି ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଖାଲି ସେତିକି ନୁହେଁ, କିଛି ବିଶିଷ୍ଟ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କ ଗହଣରେ ବସି ବାଦାମପାହାଡରୁ ରାଇରଙ୍ଗପୁର ଯାଏଁ ସାଲିମାର ଟ୍ରେନରେ ସେ ଯାତ୍ରା କରିଥିଲେ । ନୂଆ ଟ୍ରେନ ଲୋକାର୍ପଣ ସମାରୋହରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବେଶ୍ବର ଟୁଡୁ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
ବାଦାମପାହାଡରୁ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବଦିନ ରାତିରୁ ଆସି ଭାଇ, ଭାଉଜ ଓ ପରିବାର ଲୋକଙ୍କ ସହ ମହୁଲଡିହା ଘରେ ରହିଥିଲେ । ସକାଳେ ବାଦାମପାହାଡ ଅଞ୍ଚଳରେ ଥିବା ଶାଶୁଘର ଗାଁକୁ ଯାଇଥିଲେ । ଯିବା ରାସ୍ତାରେ ଦିବଙ୍ଗତ ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅପରାହ୍ନରେ ସମ୍ବଲପୁର ଯାଇ ଭିସୁଟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here