ପ୍ରଥମ ପର୍ଯ୍ୟାୟ ମତଦାନରେ ଭାଗ୍ୟ ପରୀକ୍ଷା ଦେବାକୁ ଯାଉଛନ୍ତି ବିଭିନ୍ନ ଦଳର ହେଭିଓ୍ୱେଟ ନେତା । ମେ 13 ତାରିଖରେ ହେବାକୁ ଥିବା ଚାରୋଟି ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅନ୍ତର୍ଗତ 28ଟି ବିଧାନସଭା ଆସନରେ ପରୀକ୍ଷା ଦେବାକୁ ଯାଉଥିବା ନେତାଙ୍କୁ ନେଇ ଚର୍ଚ୍ଚା ବଢୁଛି । ବିଶେଷ କରି ଦଳ ଡିଆଁ ନେତାଙ୍କୁ ନେଇ ଚର୍ଚ୍ଚା ଝୋର୍ ଧରିଥିବା ବେଳେ ପ୍ରଭାବଶାଳୀ ନେତାଙ୍କୁ ମଧ୍ୟ ପରଖିବେ ଜନତା ।
ପ୍ରଥମ ପର୍ଯ୍ୟାୟ ମତଦାନରେ କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଓ କୋରାପୁଟ ଲୋକସଭା ଆସନ ଏବଂ ଏହିସବୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଧାନସଭା ଆସନରେ ଭୋଟ ହେବ । ମଇଦାନକୁ ଓହ୍ଲାଇଥିବା ହେଭିୱେଟ ନେତାଙ୍କ ମଧ୍ୟରେ ଅଛନ୍ତି ବିଜେଡିର ଭୃଗୁ ବକ୍ସିପାତ୍ର, ଦିବ୍ୟଶଙ୍କର ମିଶ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଦୀପ ମାଝୀ, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ପ୍ରମୁଖ ।
ସେହିପରି ନୂଆପଡା ବିଧାନସରେ ପ୍ରତିଦ୍ବନ୍ଦିତା କରୁଛନ୍ତି କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକ । ଦଳର ପ୍ରାର୍ଥୀ ଚୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶ୍ରୀ ପଟ୍ଟନାୟକ ବିଜେଡିର ତିନିଥରର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ମୁକାବିଲା କରୁଛନ୍ତି । ରାଜନୀତିକୁ ଓହ୍ଲାଇଥିବା ଅବସରପ୍ରାପ୍ତ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବେ ପାରଳାଖେମୁଣ୍ଡି ବିଧାନସଭା ଆସନରେ ନିର୍ବାଚନ ଲଢୁଛନ୍ତି । କଂଗ୍ରେସକୁ ଆସିବା ପୂର୍ବରୁ ସେ ବିଜେଡି ରାଜନୀତିରେ ପ୍ରଚ୍ଛଦ ଷ୍ଟ୍ରାଟେଜୀ ମେକର ଥିଲେ ହେଁ ପାଣ୍ଡିଆନଙ୍କ ଉତଥାନ ଏବଂ ଦଳ ଭିତରେ ତାଙ୍କୁ ହେୟଜ୍ଞାନ କରାଯିବା ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଏଥର ନିର୍ବାଚନରେ ସେ ପରୀକ୍ଷା ଦେଉଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, ଦଳର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ମଧ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭାଗ୍ୟ ପରୀକ୍ଷା ଦେବେ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନର ସବୁଠୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ବିଜେପିର ପ୍ରଦୀପ ପାଣିଗ୍ରାହୀ, ସିଦ୍ଧାନ୍ତ ମହାପାତ୍ର ଏବଂ ବିଜେଡିର ଭୃଗୁ ବକ୍ସିପାତ୍ର ଓ ପ୍ରଦୀପ ମାଝୀ । ଏମାନେ ସମସ୍ତେ ଦଳଡିଆଁ ନେତା । ବିଜେଡିରୁ ତିନିଥର ବିଧାୟକ ନିର୍ବାଚିତ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ବିଜେଡିର ଗଞ୍ଜାମ ରାଜନୀତିରେ ଏକଦା ପ୍ରଭାବଶାଳୀ ନେତା ଥିଲେ । ମାତ୍ର ସମୟକ୍ରମେ ସେ ଏଥର ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରେ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପକ୍ଷରେ ଦୀର୍ଘବର୍ଷ ଧରି ବିଜେପି ରାଜନୀତିରେ ସକ୍ରୀୟ ଥିବା ଏବଂ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ଭୃଗୁ ବକ୍ସିପାତ୍ର ଏଥର ନିର୍ବାଚନରେ ଟିକଟ ନ ପାଇବାରୁ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଦଳ ତାଙ୍କୁ ସାଂସଦ ପ୍ରାର୍ଥୀ କରିଛି । ବ୍ରହ୍ମପୁର ଲୋକସଭା ଆସନରେ ଦୁଇ ଦଳଡିଆଁ ନେତା ପ୍ରଦୀପ ଓ ଭୃଗୁଙ୍କ ମଧ୍ୟରେ ଲଢେଇ ହେବ । ସେହିପରି କୋରାପୁଟରେ କଂଗ୍ରେସିଆ ନେତା ଭାବେ ପରିଚିତ ପ୍ରଦୀପ ମାଝୀ ବିଜେଡି ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଥିବା ବେଳେ ବିଜେଡିର ପୂର୍ବତନ ସାଂସଦ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏଥର ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ନିର୍ବାଚନ ରଣାଙ୍ଗନରେ ଉଭା ହୋଇଛନ୍ତି । 13 ତାରିଖ ଭୋଟରେ ଏ ସମସ୍ତ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଧନ ।