ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ଚାକିରୀରୁ  ଅବସର ନେବେ ।  ସ୍ୱେଚ୍ଛାକୃତ ଅବସର ନେବା ପାଇଁ ସେ ଆବେଦନ କରିଛନ୍ତି । ତେବେ ଆଇଏଏସ ଚାକିରୀ କାଳରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅପରାଜିତା ଅବସର ନେବା ପରେ ରାଜନୀତିରେ ପାଦ ଥାପିବେ ବୋଲି ଚର୍ଚ୍ଚା ହେଉଛି । ପ୍ରଶାସନିକସ୍ତରରୁ  ରାଜନୈତିକ ମହଲ ପର୍ଯ୍ୟନ୍ତ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ଏମିତିକି ସେ କେଉଁ ଦଳରେ ଯୋଗଦେବେ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିନ୍ତୁ ଏନେଇ ଅପରାଜିତା କୌଣସି ଟିପ୍ପଣୀ ଦେଇନାହାଁନ୍ତି ।

୧୯୯୪ ବ୍ୟାଚ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ୨୦୧୩ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିଲେ । ଚଳିତ ବର୍ଷ ତାଙ୍କର ଡେପୁଟେସନ ଅବଧି ଶେଷ ହୋଇଥିବାବେଳେ କିଛି ମାସ ମଧ୍ୟରେ ସେ ଓଡିଶା ଫେରିବେ ବୋଲି କୁହାଯାଉଥିଲା । କିନ୍ତୁ ହଠାତ୍ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ସେ ଆବେଦନ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

ଜଣେ ନିର୍ଭୀକ, ପ୍ରଗତିଶୀଳ ଆଇଏଏସ ଅଫିସର ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି ଅପରାଜିତା । ବିଏମସି କମିଶନର, ଗଣଶିକ୍ଷା ବିଭାଗ ଓ ପଞ୍ଚାୟତି ରାଜ ବିଭାଗ ସଚିବ ଭାବେ ସେ ଭଲ କାମ କରି ଚର୍ଚ୍ଚାରେ ରହିଥିଲେ ।

ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସରକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ସେ ବିଜେପି କି ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ବେଳେ ସେ ଖୁବ ଲୋକପ୍ରିୟ ଥିବାରୁ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବା ଖବର ମଧ୍ୟ ଚର୍ଚ୍ଚାରେ ରହିଛି ।

LEAVE A REPLY

Please enter your comment!
Please enter your name here