ସମୟ ଥିଲା, ବିଜେଡିରେ ମିଶିବା ପାଇଁ ନେତାମାନେ ବାଟ ଖୋଜୁଥିଲେ । ବିଜେଡି ଟିକଟ ପାଇବାକୁ ବ୍ୟାକୁଳ ହେଉଥିଲେ । ବିଜେଡିରେ ଯୋଗଦେଇ ରାଜନୈତିକ ଭବିଷ୍ୟତ ତିଆରି କରିବାକୁ, କ୍ଷମତା ଓ ପଦପଦବୀ ହାତେଇବାକୁ ଲବି କରୁଥିଲେ । କ୍ଷମତାରୁ ଯିବାର ଦି ମାସ ହୋଇନି, ବିଜେଡି ଉପରୁ ମୋହ ତୁଟେଇଲେଣି ନେତାମାନେ । ଆଉ ବିଜେଡି ନୁହେଁ, ଏଣିକି ବିଜେପି ହାତ ଧରିବାକୁ ହେବ । ବିଜେଡିର ଆଉ ଭବିଷ୍ୟତ ନାହିଁ । ମୋହଭଙ୍ଗ ଏତେ ତୀବ୍ର ହେଲାଣି ଯେ ସାଂସଦ ପଦ ଛାଡିଦେଲେ ମମତା ମହାନ୍ତ । ବୁଧବାର ଦିନ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ । କୁଡୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତାଙ୍କୁ ରାଜ୍ୟସଭାକୁ ପଠାଇ ମୟୁରଭଞ୍ଜ ଓ କେନ୍ଦୁଝରରେ ସଙ୍ଗଠନ ସୁଦୃଢ କରିବାକୁ ଚେଷ୍ଟା କରିଥିଲା ବିଜେଡି । ମାତ୍ର ନିର୍ବାଚନ ପରିଣାମ ପରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ସାଂସଦ ପଦରୁ ଇସ୍ତଫା ଦେଇ ଆଜି ବିଜେପିରେ ସାମିଲ ହେବା ବିଜେଡିକୁ ଶକ୍ତ ଧକ୍କା ଦେଇଛି । ମମତାଙ୍କ ଏମିତି ପଦକ୍ଷେପ ପରେ ବିଜେଡିର ମଙ୍ଗୁଆଳମାନେ ଚିନ୍ତିତ ହୋଇପଡିଛନ୍ତି । ସାଂସଦ ପଦ ଛାଡିଦେଇ ବିଜେପିକୁ ଚାଲିଯିବା ଶଙ୍ଖ ଦଳ ପାଇଁ ଏବେ ସତର୍କ ଘଣ୍ଟି ହୋଇଛି । ଆଗକୁ ମମତାଙ୍କ ମାର୍ଗରେ ଆହୁରି ବହୁ ଶଙ୍ଖନେତା ଗୋଡ ବଢେଇବାକୁ ଯାଉଥିବାର ପ୍ରାକ୍ ଆଭାସ ମିଳିଲାଣି । ମମତାଙ୍କ ଇସ୍ତଫା ସୂଚାଇ ଦେଉଛି ଯେ, ଦଳ ଭିତରେ ନିର୍ବାଚିତ ପ୍ରତିନିଧିମାନେ କେତେ ଚାପ ଭିତରେ ରହିଛନ୍ତି । ବିକଳ୍ପ ଅପେକ୍ଷାରେ ସେମାନେ ଥିଲେ । ଏବେ ବିଜେପି ରାଜ୍ୟରେ ବିକଳ୍ପ ଦଳ ଭାବେ ଉଭା ହେବା ପରେ ଶଙ୍ଖ ନେତାମାନେ ପଦ୍ମ ମୁହାଁ ହେବା ହେଲେଣି ।

LEAVE A REPLY

Please enter your comment!
Please enter your name here