ଦାମ୍ପତ୍ୟ ଜୀବନରେ ପତି-ପତ୍ନୀଙ୍କ ମଧ୍ୟରେ ଶାରିରୀକ ସଂପର୍କ ଏକ ସ୍ବାଭାବିକ ପ୍ରକ୍ରିୟା । ମାତ୍ର ପତ୍ନୀଙ୍କ ଇଚ୍ଛା ବିରୋଧରେ ସ୍ବାମୀ ଶାରିରୀକ ସଂପର୍କ ରଖିବା ପ୍ରସଙ୍ଗକୁ ଦୁଷ୍କର୍ମ କହି ଅପରାଧଭୁକ୍ତ କରିବା ଆବଶ୍ୟକ ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ଏହା ଦର୍ଶାଇଛନ୍ତି । ସୁପ୍ରିମକୋର୍ଟରେ ବିଚାରାଧିନ ବୈବାହିକ ଦୁଷ୍କର୍ମ ସଂପର୍କିତ ଏକ ମାମଲାରେ କେନ୍ଦ୍ର ସରକାର କହିଛନ୍ତି, ଏହା ଏକ ସାମାଜିକ ପ୍ରସଙ୍ଗ । ଏହାକୁ ଦୁଷ୍କର୍ମ ଅପରାଧ ଭାବେ ଗ୍ରହଣ କରିବା ଉଚିତ ନୁହେଁ । ମହିଳାଙ୍କ ସୁରକ୍ଷା ପାଇଁ ଘରୋଇ ହିଂସାକୁ ନେଇ ଆଇନରେ ଅନେକ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ତେଣୁ ପତ୍ନୀଙ୍କ ଇଚ୍ଛା ବିରୋଧରେ ଶାରିରୀକ ସଂପର୍କ ରଖିବାକୁ ଦୁଷ୍କର୍ମ ଭାବେ ଗ୍ରହଣ କରି ଦଣ୍ଡବିଧାନର ଆବଶ୍ୟକ ନାହିଁ । ଏହାଦ୍ବାରା ସାମାଜିକ ବ୍ୟବସ୍ଥା ପ୍ରଭାବିତ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି । ସତ୍ୟପାଠରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି, ଏହା ଏକ ସାମାଜିକ ପ୍ରସଙ୍ଗ । ତେଣୁ ବିଭିନ୍ନ ରାଜ୍ୟର ବିନା ପରାମର୍ଶ ତଥା ମତାମତ ନ ନେଇ ଏ ସଂପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ କରିବା ଠିକ୍ ହେବନାହିଁ । ବୈବାହିକ ଦୁଷ୍କର୍ମକୁ ଅପରାଧ ଭାବେ ବିବେଚନା କରିବା ସୁପ୍ରିମକୋର୍ଟଙ୍କ କ୍ଷମତା ପରିସରଭୁକ୍ତ ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here