କିଟ୍ ବିଶ୍ବବିଦ୍ୟାଳୟ ପାଇଁ ବଦନାମ୍ ହେଲା ଓଡିଶା । କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରବର୍ତ୍ତୀ ଘଟଣାକୁ କିଟ୍ ଅଧିକାରୀମାନେ ଯେପରି ପରିଚାଳନା କଲେ, ତାହା ଓଡିଶାର ସମ୍ମାନକୁ ବିଦେଶରେ ନିନ୍ଦିତ କରାଇଛି । ନେପାଳ ସରକାରଙ୍କ ଉଦବେଗ ପରେ କିଟ୍ କର୍ତ୍ତୃପକ୍ଷ ନେପାଳୀ ଛାତ୍ରଛାତ୍ରୀଙ୍କୁ ବିମାନ ଭଡା ଦେଇ ଫେରାଇ ଆଣିବା ପାଇଁ କହିଥିଲେ ହେଁ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍ ଅଧିକାରୀଙ୍କ ଅସଭ୍ୟ ବ୍ୟବହାର ଓ ଧମକକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଦୁଇ ଅଧିକାରୀ ମଞ୍ଜୁଳା ପାଣ୍ଡେ ଓ ଜୟନ୍ତୀ ନାଥଙ୍କୁ କେବଳ ଲୋକଦେଖାଣିଆ ଭାବେ କିଟ୍ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି । କିନ୍ତୁ ସେମାନେ ଯେଉଁଭଳି ଭାବେ ନେପାଳ ବିରୋଧରେ ଉତ୍ତେଜନାପୂର୍ଣ୍ଣ ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି, ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବା କଥା । ମାତ୍ର ସେଭଳି କୌଣସି ପଦକ୍ଷେପ ନେବାକୁ ରାଜ୍ୟ ପୋଲିସ ସାହସ ଜୁଟେଇପାରିନି । ଏକଦା ବିଜେଡି ସାଂସଦ ଥିବା କିଟ୍ ମୁଖ୍ୟ ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବା, ନେପାଳୀ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବା ଏବଂ ଏକ ସାର୍ବଭୌମ ରାଷ୍ଟ୍ର ନେପାଳ ବିରୋଧରେ ଘୃଣ୍ୟ ମନ୍ତବ୍ୟ ଦେଇଥିବା ଦୁଇ କିଟ୍ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଗିରଫ କରିବା ଦାବିରେ ବିଭିନ୍ନ ଛାତ୍ର ସଂଗଠନଗୁଡିକ କିଟ୍ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପ୍ରଶ୍ନ ଉଠୁଛି, ଏତେସବୁ ଘଟଣା ପରେ ରାଜ୍ୟଠୁ କେନ୍ଦ୍ର ସମସ୍ତେ ଚୁପ୍ କାହିଁକି ? ରାଜ୍ୟ ସରକାରଙ୍କଠୁ କେନ୍ଦ୍ର ସରକାର କେବଳ ଉପର ଠାଉରିଆ କାର୍ଯ୍ୟାନୁଷ୍ଠାନ କରି ପରିସ୍ଥିତିକୁ ଚାପି ଦେବା ଭଳି କାର୍ଯ୍ୟ କରୁଛନ୍ତି କଣ ପାଇଁ ? କ୍ଷମତାରେ ଥିବା ବିଜେପି ଏବଂ ବିରୋଧୀ ଦଳରେ ଥିବା ବିଜେଡି ଓ କଂଗ୍ରେସ ବି କିଟ୍ ପ୍ରସଙ୍ଗରେ ନିରବ । ଯେଉଁ ଯୁବକଙ୍କ ପ୍ରତାରଣାର ଶୀକାର ହୋଇ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି, ସେ ଯୁବକଙ୍କ ବାପା ବିଜେପିର ଜଣେ ପ୍ରଭାବଶାଳୀ ନେତା । ତେଣୁ କିଟ୍ ମାମଲାରେ କାହାକୁ କେମିତି ନ୍ୟାୟ ମିଳିବ, ତାହା ସବୁଠୁ ବଡ ପ୍ରଶ୍ନ ।