କଟକ : କଟକ ଏସସିବିରେ ଶିଶୁ ଅଦଳବଦଳ ଅଭିଯୋଗ ସାମ୍ନାକୁ ଆସିଛି । ଏସ୍-ଏନ୍ ସିୟୁରେ ଚିକିତ୍ସାଧୀନ ବେଳେ ଶିଶୁ ବଦଳ ହୋଇଥିବା ଅଭିଯୋଗ ହୋଇଛି । ନବଜାତ କନ୍ୟାକୁ ବଦଳ କରି କର୍ମଚାରୀମାନେ ଏକ ମୃତ ଶିଶୁକୁ ଧରାଇଦେଇଥିବା ଅଭିଯୋଗ କରିଛନ୍ତି ପ୍ରସୂତିଙ୍କ ପରିବାର ଲୋକେ । ଏ ନେଇ ଏସସିବି ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଲୁସି ଦାସ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଏବଂ ଶିଶୁରୋଗ ବିଭାଗ ମୁଖ୍ୟଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକ୍ରମେ ପୁରୀ ଜିଲ୍ଲା କୁମ୍ବାରପଡ଼ା ଥାନା ତଳଚୁଆ ସାହିର ଚନ୍ଦ୍ରମା ବେହେରା ଗତ 11 ତାରିଖରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଜନ୍ମ ପରେ ଅସୁସ୍ଥ ନବଜାତ ଶିଶୁକୁ ଏସ୍ –ଏନ୍ ସିୟୁକୁ ନିଆଯାଇଥିଲା । ମାତ୍ର 24 ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଥିବା କର୍ମଚାରୀମାନେ କହିଥିଲେ । ପରିବାର ଲୋକେ ଯେତେବେଳେ ଏହାର ବିରୋଧ କରି ପିଲାଟି ଆମର ନୁହେଁ ବୋଲି କହିଲେ, ସେତେବେଳେ କର୍ମଚାରୀମାନେ ପୋଲିସର ଧମକ ଦେଇଥିଲେ । ଏହାପରେ ପରିବାର ଲୋକେ ମୃତ ଶିଶୁକୁ ପୋତି ଦେଇଥିଲେ । ହେଲେ, ପରବର୍ତ୍ତୀ ସମୟରେ ଶିଶୁଟିର ମୃତଦେହ ସେଠାରେ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏସସିବି ଅଧ୍ୟକ୍ଷଙ୍କୁ ଏ ସଂପର୍କରେ ପଚାରିବାରୁ ସେ କହିଛନ୍ତି ଯେ ଘଟଣାର ଯଥାଶୀଘ୍ର ତଦନ୍ତ କରାଯିବ ।