ବୁଲେଇ ବଙ୍କେଇ ସତ ମାନିଲେ ସରକାର । ପ୍ରତିଦିନ କୋଭିଡ ଜନିତ ମୃତ୍ୟୁସଂଖ୍ୟା ଘୋଷଣା କରି ଆସୁଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏବେ ମିଛ ଗୋଳେଇବା ଆରମ୍ଭ କରିଛି । ପ୍ରତିଦିନ ସରକାର ଘୋଷଣା କରୁଥିବା କୋଭିଡଜନିତ ମୃତ୍ୟୁସଂଖ୍ୟା ଏବେର ନୁହେଁ ବୋଲି କହିଛନ୍ତି ଏସଆରସି ତଥା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ କମିଶନର ସଚିବ । ବରଂ ଏବେ ରାଜ୍ୟ ସରକାର ଦେଉଥିବା କୋଭିଡ ମୃତ୍ୟୁ ତଥ୍ୟ ମେ ଓ ଜୁନ ମାସର ବୋଲି ସେ କହିଛନ୍ତି । ମେ ଓ ଜୁନ ମାସରେ ଡାକ୍ତରମାନେ ଅଧିକ ବ୍ୟସ୍ତ ଥିବା ଯୋଗୁ ତଥ୍ୟ ଦେଇ ପାରି ନଥିଲେ ବୋଲି କହିଛନ୍ତି । ରାଜ୍ୟ ସରକାର କୋଭିଡ ଜନିତ ମୃତ୍ୟୁ ତଥ୍ୟ ଲୁଚାଉଥିବା ନେଇ ବିରୋଧୀ ଆରୋପ ଲଗାଇଥିଲେ । ଏପରିକି ଅଧିକାଂଶ ରାଜ୍ୟ ସରକାର କୋଭିଡ ମୃତ୍ୟୁ ତଥ୍ୟ ଲୁଚାଉଥିବାରୁ ସର୍ବୋଚ୍ଚ ଅଦାଲତ କ୍ଷୁବ୍ଧ ହୋଇଥିଲେ । ଏପରିକି କୋଭିଡଜନିତ ମୃତ୍ୟୁବରଣ କରିଥିବା ସମସ୍ତ ମୃତକଙ୍କ ପରିବାରକୁ ସହାୟତା ଦେବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଅଦାଲତି ଛାଟ ଭୟରେ ପୂର୍ବରୁ ଦେଇଥିବା ତଥ୍ୟକୁ ରାଜ୍ୟ ସରକାର ସଂଶୋଧନ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ବିରୋଧୀ ଆକ୍ଷେପ କରିଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ ଡାସବୋର୍ଡରେ ପ୍ରତିଦିନ ତଥ୍ୟ ଅପଡେଟ୍ ହେଉଥିବା ବେଳେ ଦୈନିକ ସର୍ବାଧିକ ମୃତ୍ୟୁସଂଖ୍ୟା ଏବେର ନୁହେଁ ବୋଲି ବିଭାଗୀୟ ଅଧିକାରୀ ଆଜି ଘୋଷଣା କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ବରଂ କୋଭିଡ ମୃତ୍ୟୁ ସଂପର୍କରେ ରାଜ୍ୟ ସରକାର ଦେଉଥିବା ତଥ୍ୟ ଭୁଲ୍ ଥିଲା ଏବଂ ଏବେ ବିଳମ୍ବରେ ହେଲେ ମଧ୍ୟ ତାହାକୁ ସୁଧାରିବା ପାଇଁ ଉଦ୍ୟମ କରୁଥିବା ବିରୋଧୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here