72 ଘଣ୍ଟାରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ । ଏଥିସହିତ ଭାରତରେ ଥିବା ସମସ୍ତ ପାକ୍ ନାଗରିକଙ୍କ ଭିସାକୁ ରଦ୍ଦ କରିଛନ୍ତି ସରକାର । ପହଲଗାମ ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ଦେଶରେ ଥିବା ପାକିସ୍ତାନୀ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ ନିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପାକିସ୍ତାନୀ ନାଗରିକଙ୍କୁ ଦିଆଯାଇଥିବା ଭାରତୀୟ ଭିସା ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ବୈଧ ରହିବ । ସେହିପରି ଚିକିତ୍ସା ପାଇଁ ଦିଆଯାଇଥିବା ଭିସାର ଅବଧି 29 ତାରିଖ ପର୍ଯ୍ୟନ୍ତ ରହିବ । ପାକିସ୍ତାନ ପାଇଁ ଭିସା ସେବା ବନ୍ଦ କରିଦିଆଯାଇଛି । ସେହିପରି ପାକିସ୍ତାନରେ ଥିବା ଭାରତୀୟ ନାଗରିକ ତୁରନ୍ତ ଫେରି ଆସିବାକୁ କୁହାଯାଇଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର କୂଟନୈତିକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । 1960ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ବାକ୍ଷରିତ ଇଣ୍ଡସ ଜଳ ଚୁକ୍ତିକୁ ମଧ୍ୟ ସରକାର ଅନିର୍ଦ୍ଧିଷ୍ଟ ସମୟ ପାଇଁ ନିଲମ୍ବନ କରିଛନ୍ତି ।
ଅନ୍ୟପଟେ ବିହାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହୋଇ ଆତଙ୍କବାଦୀକୁ କଡା ଚେତାବନୀ ଦେଇଛନ୍ତି । ମୋଦୀ କହିଛନ୍ତି, ସମୟ ଆସିଗଲା ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାର । କଳ୍ପନାଠାରୁ ବଡ ଦଣ୍ଡ ଦିଆଯିବ, ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବୁ । ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ପର୍ଯ୍ୟଟକଙ୍କ ଉପରେ ହୋଇନି, ଆତଙ୍କବାଦୀମାନେ ରାଷ୍ଟ୍ର ମା’ ର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି । ନିରୀହ ଦେଶବାସୀଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଛି । ଯେଉଁଥିପାଇଁ ପୂରା ଦେଶ ବ୍ୟଥିତ । ସମସ୍ତ ପୀଡିତ ପରିବାରଙ୍କ ସହ ପୂରା ଦେଶ ଛିଡା ହୋଇଛି । ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି ଏବଂ ସେମାନେ ଖୁବ୍ ଶୀଘ୍ର ସୁସ୍ଥ ହୋଇ କିପରି ଘରକୁ ଫେରିବେ, ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି ।