ଖାଦ୍ୟ ଖୋଜୁ ଖୋଜୁ ଜଙ୍ଗଲରୁ ଜନବସତି ଆଡକୁ ଚାଲି ଆସିଥିଲା ହାତୀ । ହେଲେ ଏ ମଣିଷ କଲା କଣ । ସପୁରୀ ଲାଳସା ଦେଖାଇ ଦୁଇ ଦୁଇଟି ଜୀବନ ନେଇଗଲା । ଭୋକିଲା ପେଟ ଏବଂ ନିଜ ପେଟରେ ଥିବା ପିଲା କଥା ଚିନ୍ତା କରି ଆଗ ପଛ ବିଚାର ନକରି ସପୁରୀକୁ ସିନା ହାତୀ ଖାଇଦେଲା । ହେଲେ ସେ କଣ ଜାଣିଥିଲା ଏ ମଣିଷ ଏତେ ତଳକୁ ଖସି ଯାଇଛି ବୋଲି । ସପୁରୀ ପେଟକୁ ଯାଇଛି କି ନାହିଁ ହୋଇଥିଲା ବିସ୍ଫୋରଣ । ଆଉ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା ନୀରିହ ହାତୀଟି ।
କେରଳର ମାନରକ୍କଡ ଫରେଷ୍ଟ ଡିଭିଜନରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଗୋଟିଏ ମାଇ ହାତୀ ମଣିଷର ଷଡଯନ୍ତ୍ର ଯୋଗୁ ପ୍ରାଣ ହରାଇଛି । ଜନବସତିକୁ ଚାଲିଆସିଥିବା ହାତୀକୁ ପାନେ ଦେବା ପାଇଁ କିଛି ସ୍ଥାନୀୟ ବାସିନ୍ଦା ସପୁରୀ ଭିତରେ ବାଣ ରଖିଥିଲେ । ହାତୀ ସେହି ସପୁରୀକୁ ଷୁଣ୍ଢରେ ନେଇ ପାଟିରେ ପୁରାଇବା ମାତ୍ରେ ବିସ୍ଫୋରଣ ହୋଇଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ହାତୀ ନଦୀ ଭିତରେ ଷୁଣ୍ଢ ପୁରାଇ କଷ୍ଟ ଲାଘବ କରିବାକୁ ବହୁତ ଚେଷ୍ଟା କରିଥିଲା । ପାଣି ଭିତରୁ ହାତୀକୁ ବାହାର କରିବା ପାଇଁ ବନ ବିଭାଗ ଦୁଇଟି ପୋଷା ହାତୀ ଆଣି ଉଦ୍ୟମ କରିଥିଲା । ହେଲେ ହାତୀ ଆଉ ପାଣି ଭିତରୁ ବାହାରି ନଥିଲା । ଆଉ ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଆଖି ବୁଜିଦେଲା । ପୋଷ୍ଟମର୍ଟମ ପରେ ଜଣାପଡିଲା ମାଇ ହାତୀଟି ଗର୍ଭବତୀ ଥିଲା ଏବଂ ବିସ୍ଫୋରଣରେ ତାର ପାଟି ଓ ଜିଭ ପୁରା ନଷ୍ଟ ହୋଇ ଯାଇଛି । ଏହି ଘଟଣାର ତଦନ୍ତ କରି ଅପରାଧୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେରଳ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବିଜେପି ନେତ୍ରୀ ମାନେକା ଗାନ୍ଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ରାଜନେତା, ବନ୍ୟଜନ୍ତୁପ୍ରେମୀ ଏଭଳି କ୍ରୁର ଓ ନିଷ୍ଠୁର ଆଚରଣକୁ ନିନ୍ଦା କରିଛନ୍ତି । ଅପରାଧୀଙ୍କ ସଂପର୍କରେ ସୂଚନା ଦେଲେ ବିଭିନ୍ନ ସଂଗଠନ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here