ଚିରାଗ ପାସୱାନ୍, ରାଜନୀତିରେ ଏକ ସକ୍ରିୟ ଚେହେରା । ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ । କେନ୍ଦ୍ର ମନ୍ତ୍ରୀ । ବିହାର ରାଜନୀତିରେ ବି ଚର୍ଚ୍ଚିତ ଚେହେରା । ଏତେ କ୍ଷମତାରେ ଥିବା ସତ୍ବେବି ତାଙ୍କୁ ହତ୍ୟା ଧମକ ମିଳିଛି । ଚଳିତ ବର୍ଷ ଶେଷରେ ବିହାରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି । ନିର୍ବାଚନ ପ୍ରଚାରରେ ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି । ଏହି ସମୟରେ, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ହତ୍ୟା ଧମକ ମିଳିଛି । ଲୋକ ଜନଶକ୍ତି ପାର୍ଟି ସଭାପତି ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ବୋମା ମାଡ଼ର ଧମକ ମିଳିଛି ।
ହତ୍ୟା ଧମକ ମିଳିବା ପରେ, କେନ୍ଦ୍ରମନ୍ତ୍ରୀ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇଥିବା ବେଳେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ମୁଖପାତ୍ର ରାଜେଶ ଭଟ୍ଟ ସୋସିଆଲ ମିଡିଆରେ ପାର୍ଟି ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ଦିଆଯାଇଥିବା ହତ୍ୟା ଧମକ ସମ୍ପର୍କରେ ସାଇବର ପୁଲିସରେ ବି ଅଭିଯୋଗ କରିଛନ୍ତି ।
ଚିରାଗ ପାସୱାନ ୨୦୨୪ ଲୋକସଭା ନିର୍ବାଚନରେ ହାଜିପୁର ଆସନରୁ ଏକ ବଡ଼ ବିଜୟ ହାସଲ କରିଥିଲେ । ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟରେ ଜଣେ ମନ୍ତ୍ରୀ ଅଛନ୍ତି । ସକ୍ରିୟ ରାଜନୀତିରେ ଯୋଗ ଦେବା ପୂର୍ବରୁ, ଚିରାଗ ଜଣେ ବଲିଉଡ ଅଭିନେତା ମଧ୍ୟ ଥିଲେ । ସିନେମା ଜଗତରେ କ୍ୟାରିଅର ଆରମ୍ଭ କରିଥିବା ଚିରାଗ ପାସୱାନ ବର୍ତ୍ତମାନ ତାଙ୍କ ପିତା ରାମବିଳାସ ପାସୱାନଙ୍କ ରାଜନୈତିକ ଉତ୍ତରାଧିକାରକୁ ସମ୍ଭାଳିଛନ୍ତି ।














