ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ ପ୍ରେମବ୍ୟାପାରକୁ ନେଇ ଗୁରୁବାରଠୁ ଆରମ୍ଭ ହୋଇଥିବା ଗୋଷ୍ଠୀ ସଂଘର୍ଷ ଆଜି ଉଗ୍ର ରୂପ ନେଇଥିଲା । ଗୋଟିଏ ଗୋଷ୍ଠୀର ଯୁବକମାନେ ପ୍ରତିଶୋଧ ନେବାକୁ ବୁଦ୍ଧ ବିହାରରେ ପୁଣି ତୁମୁଳକାଣ୍ଡ ଭିଆଇଛନ୍ତି । ଆକ୍ରମଣର ଶିକାର ହୋଇଛନ୍ତି, ବୁଦ୍ଧ ବିହାର ଆଲର୍ଟିସ୍ ଆସୋସିଏସନ ସମ୍ପାଦକ ଗୌରାଙ୍ଗ ଚରଣ ଦାସଙ୍କ ବଡ଼ ପୁଅ ଶୁଭମ୍ ସ୍ୱରାଜ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି । ସାମାନ୍ୟ ଆହତ ହୋଇଥିବା ଅନ୍ୟ ୨ଜଣଙ୍କ ପରିଚୟ ମିଳିପାରିନାହିଁ । ଘଟଣାରେ ୧୪ ଜଣରୁ ଅଧିକ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୧୦ ଜଣଙ୍କୁ ଗିରଫ କରିଛି । ବାକି କୁମ୍ଭୀର ଏବଂ ତାର ଦୁଇ ସହଯୋଗୀ ଫେରାର ଅଛନ୍ତି।
ମିଳିଥିବା ଖବର ଅନୁଯାୟୀ, ରାତି ପ୍ରାୟ ସାଢ଼େ ୮ଟା । ବୁଦ୍ଧବିହାର ଆବାସକୁ ପଶିଆସିଲା ୫-୬ଟି ବାଇକ୍ ଓ ସ୍କୁଟି ସହିତ ମୁଖାପିନ୍ଧା ୧୫ରୁ ଅଧିକ ଯୁବକ ହାତରେ ଖଣ୍ଡା, ଭୁଜାଲି ଧରି । ସେତେବେଳକୁ ଶୁଭମ୍ ଓ ଅନ୍ୟମାନେ ଏକ ଦୋକାନରେ ଖଟି କରୁଥିଲେ । ମାରଣାସ୍ତ୍ର ସହିତ ଏତେ ସଂଖ୍ୟକ ଯୁବକଙ୍କୁ ଦେଖି ଶୁଭମ୍ ଦୌଡି ଯିବା ବେଳେ ତଳେ ପଡି଼ଗଲେ ଓ ଆକ୍ରମଣକାରୀମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ସେହିପରି ସନ୍ଧ୍ୟାରେ ଇଶାନେଶ୍ୱର ବସ୍ତିରେ ମୁଖାପିନ୍ଧା ଯୁବକମାନେ ଉକ୍ତ ବସ୍ତିର ଚନ୍ଦନ ନାୟକଙ୍କୁ ଗୋଡ଼ାଇ ହାଣିଛନ୍ତି । ଶୁଭମ୍, ଚନ୍ଦନ ଓ ଅନ୍ୟ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଦ୍ଧବିହାର ଗୋଷ୍ଠୀ ସଂଘର୍ଷ ସହ ଚନ୍ଦନଙ୍କୁ ଆକ୍ରମଣର କିଛି ସାମଞ୍ଜସ୍ୟ ଅଛି କି ନାହିଁ, ତାହାକୁ ଜଣା ପଡିନାହିଁ । ଗୁରୁବାର ଅପରାହ୍ଣରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ବୁଦ୍ଧବିହାର ରାସ୍ତାରେ ଦୁଇ ଗୋଷ୍ଠୀର ୧୫ ରୁ ଅଧିକ ଯୁବକ ମୁହାଁମୁହିଁ ହୋଇଥିଲେ ।













