ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁରରେ କଲେ ଆତ୍ମସମର୍ପଣ । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୧୪ ଜଣ ପୁରୁଷ ଏବଂ ୮ ଜଣ ମହିଳା ମାଓବାଦୀ ଅଛନ୍ତି । ଯେଉଁଥିରେ ଡିଭିସିଏମ, ଏସିଏମ କ୍ୟାଡରର ମାଓବାଦୀ ମଧ୍ୟ ରହିଛନ୍ତି । ଏହି ମାଓବାଦୀମାନେ ନାରାୟଣପୁର ଜିଲ୍ଲାର ମାଡ ଡିଭିଜନର କୁତୁଲ, ନେସଲନା ପାର୍କ, ଇନ୍ଦ୍ରାବତୀ କ୍ଷେତ୍ର ମାଓ କମିଟିରେ ସକ୍ରିୟ ଥିଲେ ।
ଏହି ମାଓବାଦୀମାନଙ୍କ ମୁଣ୍ଡ ଉପରେ ମୋଟ ୩୭ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ରାଶି ରହିଥିଲା । ଏମାନେ ପୂର୍ବରୁ ଅନେକ ହିଂସାକାଣ୍ଡରେ ଜଡିତ ଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପ୍ରୋତ୍ସାହନ ସ୍ବରୂପ ୫୦,୦୦୦ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଛି । ସେମାନଙ୍କୁ ଥଇଥାନ ନୀତି ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ନାରାୟଣପୁର ଏସପି ପ୍ରକାଶ କରିଛନ୍ତି ।














