ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଏଫଏମ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ହୋଇଛି । ସୋମବାର ରାତି ୧୧.୪୬ ରେ ଆଖି ବୁଜିଛନ୍ତି ପୀଡ଼ିତା । ଆତ୍ମହତ୍ୟା ଉଦ୍ୟମ କରି ୯୫ ପ୍ରତିଶତ ପୋଡ଼ି ଯାଇଥିଲା ସୌମ୍ୟାଙ୍କ ଶରୀର । ସୁପର ଆଇସିୟୁରେ ଚିକିତ୍ସାଧିନ ଥିଲେ ପୀଡ଼ିତା । ତାଙ୍କ କିଡନୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଡାକ୍ତରୀ ଟିମ୍ ର ସମସ୍ତ ଉଦ୍ୟମ ବିଫଳ ହୋଇଥିଲା । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଏମ୍ସ ହସପିଟାଲକୁ ବିଭିନ୍ନ ଦଳ ଓ ସଂଗଠନର ନେତାଙ୍କ ସୁଅ ଛୁଟିଥିଲା । ବିରୋଧୀ ବିଜେଡି ଓ କଂଗ୍ରେସ ପକ୍ଷରୁ କର୍ମୀମାନେ ଧାରଣା ଦେବା ସହ ଆମ୍ବୁଲାନ୍ସ ଆଗରେ ଶୋଇ ରହିଥିଲେ । ରାତିରେ ଶବ ବ୍ୟବଚ୍ଛେଦକୁ ନେଇ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା । ଶବ ବ୍ୟବଚ୍ଛେଦ ଗୃହ ସମ୍ମୁଖରେ ବିଜେଡି ଓ କଂଗ୍ରେସ ନେତାଙ୍କ ଧାରଣା ଦେବା ସହ ରାତି ଅଧିଆ ଶବ ବ୍ୟବଚ୍ଛେଦକୁ ନେଇ ହଙ୍ଗାମା କରିଥିଲେ । ପୋଲିସ ଆନ୍ଦୋଳନକାରୀଙ୍କୁ ଜୋର୍ ଜବରଦସ୍ତ ଉଠାଇନେବା ପରେ ପରିସ୍ଥିତି ନିଯନ୍ତ୍ରଣାଧୀନ ହୋଇଥିଲା ।













