ଝାରସୁଗୁଡାରେ ‘ପ୍ରଥା’ସିନେମାର ପୋଷ୍ଟର ଚିରାଗଲା । ପ୍ରଥା ସିନେମା ଟକିଜରେ ଚଲାଇ ନଦେବା ପାଇଁ ଏଭଳି କରାଯାଉଛି ବୋଲି ଅଭିଯୋଗ କରି ଥାନାରେ ଏତଲା ଦେଲେ ପ୍ରଥା ସିନେମା ପ୍ରଯୋଜିକା ସନଲିସା । ସିନେମା ହଲରେ ‘ପ୍ରଥା’ ଚଲାଇ ନ ଦେବା ପଛରେ ଅଭିନେତା ମନୋଜ ମିଶ୍ରଙ୍କ ହାତ ରହିଛି ବୋଲି ସେ ଅଭିଯୋଗ କରିଥିଲେ । ଏହି ଘଟଣା ପରଠୁ ଓଡିଆ ସିନେମା ଶିଳ୍ପରେ ବିବାଦ ବଢି ଚାଲିଥିବା ବେଳେ ଆଜି ବିଧାନସଭା ସାମନା ମହାତ୍ମା ଗାନ୍ଧୀ ମାର୍ଗରେ ଧାରଣାରେ ବସିଥିଲେ ପ୍ରଯୋଜିକା ସନଲିସା, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସମେତ ଆଉ କିଛି ଅଭିନେତା ଓ ଅଭିନେତ୍ରୀ । ହାତରେ ପ୍ଲାକାର୍ଡ ଧରି ଓଡିଆ ସିନେମାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ସେମାନେ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଓଡିଆ ଚଳଚ୍ଚିତ୍ର ନିଗମ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇ ସନଲିସା କହିଛନ୍ତି, ଅନ୍ୟ ରାଜ୍ୟ ଭଳି ଓଡିଶାରେ ଓଡିଆ ସିନେମା ସବୁ ହଲରେ ନିର୍ଦ୍ଧିଷ୍ଟ ସମୟ ପାଇଁ ପକାଯିବା ବାଧ୍ୟତାମୂଳକ ହେବା ଉଚିତ । ସେହିପରି ରାଜ୍ୟ ସରକାର ଓଡିଆ ଭାଷାରେ ଅଧିକ ସିନେମା ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଦରକାର । ପ୍ରତି ବ୍ଲକରେ ସିନେମା ହଲ ନିର୍ମାଣ କରିବା, ମଲ୍ଟିପ୍ଲେକ୍ସ ହଲରେ ସିନେମା ପ୍ରଦର୍ଶନ ପାଇଁ ପଦକ୍ଷେପ ନେବା, ଓଡିଆ ସିନେମାକୁ ଟିକସମୁକ୍ତ କରିବା ଏବଂ ସିନେମାହଲ ଗୁଡିକରେ ବିତରଣ ଓ ପ୍ରଦର୍ଶନ ପାଇଁ ନିୟମ ପ୍ରଣୟନ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here