କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନାକାରୀଙ୍କ ପ୍ରଥମ ଇଙ୍ଗିତ ବା ଶବ୍ଦକୁ ନାଁ କୁହନ୍ତୁ । ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ । ଅଧିକାରୀ ପାଇଁ ସ୍ୱର ଉଠାଇବା ଅପରାଧ ନୁହେଁ । ଯୌନ ଶୋଷଣ ବିରୁଦ୍ଧରେ ସରକାର ପ୍ରତିବଦ୍ଧ ଅଛନ୍ତି । ନ୍ୟାୟ ନିଶ୍ଚିତ ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ଆଇନ ୨୦୧୩ ସମ୍ପର୍କରେ ଲୋକ ସେବା ଭବନରେ ବୁଧବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନର ସମସ୍ତ ପୁରୁଷ ଏବଂ ମହିଳା କର୍ମଚାରୀମାନେ ଏଥିରେ ଯୋଗ ଦେଇଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହା ଆୟୋଜିତ ହୋଇଥିବାବେଳେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କର୍ମକ୍ଷେତ୍ରରେ ନାରୀ ଓ ପୁରୁଷଙ୍କ ମଧ୍ୟରେ ତାରତମ୍ୟ ନ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ସହିତ ଯୌନ ଶୋଷଣ ବିରୁଦ୍ଧରେ ଚୁପ ନ ରହି ସ୍ୱର ଉତ୍ତୋଳନ କରିବାକୁ ସମସ୍ତ ଯୁବପୀଢ଼ିଙ୍କୁ ଆହ୍ୱାନ କରିଛନ୍ତି ।













