ସରିନି ଅପରେସନ ସିନ୍ଦୂର । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ । ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଡିଏସ୍ ଜେନେରାଲ ଅନୀଲ ଚୌହ୍ବାନ କହିଛନ୍ତି, ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି । ଏଥିପାଇଁ ସେନା ପକ୍ଷରୁ ସର୍ବଦା ସତର୍କ ରହିବାକୁ ପଡିବ । ୩୬୫ଦିନ ପୁରା ୨୪ଘଣ୍ଟା ସଜାଗ ରହିବାକୁ ସେ ଆହ୍ବାନ ଦେଇଛନ୍ତି । ଅପରେସନ ସିନ୍ଦୂର ପରେ ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିଲେ ମଧ୍ୟ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ ବୋଲି କହିଛନ୍ତି ସିଡିଏସ ଅନୀଲ ଚୌହ୍ବାନ । ଅପରେସନ ସିନ୍ଦୂର ଜରିଆରେ ପହଲଗାମ ପ୍ରତିଶୋଧ ନେଇଥିଲା ଭାରତ । ଶତ୍ରୁ ଘରେ ପଶି ଆତଙ୍କୀ ଆଡ୍ଡା ଧ୍ୱଂସ କରାଯାଇଥିଲା । ୯ଟି ଆତଙ୍କୀ ଠିକଣାରେ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ଆକ୍ରମଣରେ ଧୂଳିସାତ ହୋଇଥିଲା ପାକିସ୍ତାନରେ ଥିବା ଆତଙ୍କୀ ହବ୍ । ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା, ହିଜ୍‌ବୁଲ ମୁଜାହିଦ୍ଦିନ ଆଡ୍ଡା ଧ୍ୱଂସ ହୋଇଥିଲା । ଏୟାରଷ୍ଟ୍ରାଇକରେ ସଫା ହୋଇଯାଇଥିଲା ଜୈଶ-ଏ-ମହମ୍ମଦ ମୁଖ୍ୟର ପୂରା ପରିବାର । ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ମସୁଦ ଅଜହରର ୧୦ ଜଣ ସମ୍ପର୍କୀୟ ନିହତ ହୋଇଥିଲେ । କାନ୍ଦାହାର ବିମାନ ଅପହରଣର ମାଷ୍ଟରମାଇଣ୍ଡ ଅବଦୁଲ ରୌଫ୍ ଅଜହର ପ୍ରାଣ ହରାଇଥିଲା । ପାଖାପାଖି ୧୦୦ରୁ ଅଧିକ ଆତଙ୍କୀଙ୍କୁ ମାରିଥିଲେ ଭାରତୀୟ ଯବାନ ।

LEAVE A REPLY

Please enter your comment!
Please enter your name here