ନୂଆଦିଲ୍ଲୀ: ଓଡ଼ିଶାରେ ଏକ ନୂଆ ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ଏହି ୧୬୩ କିଲୋମିଟର ବିଶିଷ୍ଟ ମେଗା ରାଜପଥ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୮,୩୦୦.୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ନୂତନ ରାଜପଥ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଗତି କରିବ, ଯାହା ଉପକୂଳ ଓଡ଼ିଶା ସମେତ ସମଗ୍ର ରାଜ୍ୟର ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।












