ଜମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଠାରେ ବସନ୍ତଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (CRPF) ଯବାନଙ୍କ ଗାଡ଼ି ଏକ ଗଭୀର ଘାଇକୁ ଖସି ପଡ଼ିଛି । କଣ୍ଡୱା ଅଞ୍ଚଳ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣ CRPF ଯବାନଙ୍କର ମୃତ୍ୟୁ ହୋଇଛି । ଏଥିସହିତ ୧୬ ଜଣ ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କମାଣ୍ଡ ହସ୍ପିଟାଲ ନିଆଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଉପସ୍ଥିତ ଅଛନ୍ତି ।
ଏହି ଦୁଃଖଦ ଘଟଣାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ,ଘଟଣାସ୍ଥଳକୁ ଆମ୍ବୁଲାନ୍ସ ମଧ୍ୟ ପଠାଯାଇଛି । ଗାଡ଼ିଟି ଘାଇରେ କେମିତି ଖସିଲା ତାହାର କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ପୁଲିସ ତଦନ୍ତରେ ଲାଗିଛି ଏବଂ ଦୁର୍ଘଟଣାର କାରଣ ଖୋଜି ବାହାର କରୁଛି । CRPF ତରଫରୁ କୁହାଯାଇଛି ଯେ ୧୮୭ ତମ ବାଟାଲିୟନର ଏକ ଗାଡ଼ି ଯେଉଁଥିରେ ୧୮ ଜଣ ଯବାନ ଥିଲେ । ଆଜି ସକାଳ ପ୍ରାୟ ୧୦:୩୦ ସମୟରେ ଏହି ଗାଡ଼ିଟି ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ କଣ୍ଡୱାରୁ ବସନ୍ତଗଡ଼ ଯିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଘାଇରେ ଖସି ପଡ଼ିଥିଲା ।












