ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମଣ୍ଡୁଆ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ତାଙ୍କ ଗାଡି ଉପରକୁ ବୋମାମାଡ କରିଥିଲେ । ଏ ସଂପର୍କରେ ବିଧାୟକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

ବିଧାୟକଙ୍କ କହିବା କଥା, ସେ ଦିନ ଏଗାରଟାରେ ଭାରତୀୟ ମଜଦୁର ସଂଘର କାର୍ଯ୍ୟକାରିଣୀ ବୈଠକରେ ଅତିଥି ଭାବେ ଯୋଗ ଦେଇ 11ଟା 40 ବେଳକୁ ଫେରିଥିଲେ । ଏହି ସମୟରେ ହଠାତ ଦୁଇଜଣ ଯୁବକ ଏକ ବାଇକରେ ତାଙ୍କ ଗାଡି ପାଖକୁ ଆସି ବୋମା ଫୋପାଡିଥିଲେ । ପ୍ରଥମ ବୋମାଟି ତାଙ୍କ ଗାଡି ଆଗରେ ବାଜିଥିଲା । ସେମାନେ ପାଟିତୁଣ୍ଡ କରିବା ଭିତରେ ସେମାନଙ୍କ ଗାଡି ଉପରକୁ ଆଉ ଏକ ବୋମା ଫୋପାଡି ପଳାଇ ଯାଇଥିଲେ । ପିଏସଓ ଗାଡିରୁ ଓହ୍ଲାଇ ଗୋଡାଇଥିଲେ ବି ସେମାନଙ୍କୁ ଧରିପାରି ନ ଥିଲେ । କିଛିବାଟ ସେମାନେ ଗାଡିରେ ମଧ୍ୟ ଗୋଡାଇଥିଲେ । କିନ୍ତୁ ରେଳଷ୍ଟେସନ ନିକଟସ୍ଥ ଏକ ସରୁ ରାସ୍ତାରେ ସେମାନେ ଖସି ପଳାଇଥିଲେ । ତେବେ ବୋମାମାଡରେ ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ବିଧାୟକ ସୁରକ୍ଷିତ ଅଛନ୍ତି ।

ବିଧାୟକଙ୍କ ଗାଡି ଉପରକୁ ବୋମାମାଡ ପ୍ରତିବାଦରେ ବିଜେପି ସମର୍ଥକମାନେ କେନ୍ଦୁଝର ସହର ଗାନ୍ଧୀଛକରେ ରାସ୍ତା ଅବରୋଧ କରିଛନ୍ତି । ବୋମାମାଡ କରିଥିବା ଅପରାଧୀକୁ ଗିରଫ କରିବାକୁ ଦାବି କରିଛନ୍ତି । ତେବେ ବୋମାମାଡ ପଛରେ ଜଣେ ବିଜେଡି ନେତାଙ୍କ ହାତ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here