ମହିଳା ଓ ଶିଶୁ ସୁରକ୍ଷା ପାଇଁ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ ପାରା ଲିଗାଲ ଭଲ୍ୟୁଣ୍ଟରଙ୍କୁ ନିଯୁକ୍ତ କରାଯିବ। ମହିଳା ବିରୋଧୀ ଅପରାଧ ଘଟିଲେ, ସେମାନେ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ମିଳିବାରେ ସହାୟକ ହେବେ। ଏହି ପ୍ରସଙ୍ଗରେ ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ଆଇନ ବିଭାଗର ବୈଠକ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଇନ ମନ୍ତ୍ରୀ ଓ ଲିଗାଲ ସର୍ଭିସ ଅଥରିଟିର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଗ୍ରାମ୍ୟ ଏବଂ ଜନଜାତି ପରିବାରମାନଙ୍କୁ ନ୍ୟାୟିକ ସୁବିଧା ପହଞ୍ଚେଇବାକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି କାମରେ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ । କୌଣସି ମହିଳା ଅସୁବିଧାର ସମ୍ମୁଖୀନ, ନିର୍ଯାତନା କିମ୍ୱା ଘରୋଇ ହିଂସାର ଶିକାର ହେଲେ ପ୍ରାରମ୍ଭିକ ଭାବେ ପାରା ଲିଗାଲ ଭଲ୍ୟଣ୍ଟରଙ୍କୁ ଜଣାଇବେ ଏବଂ ଭଲ୍ୟଣ୍ଟର ତାଙ୍କୁ ସାହାଯ୍ୟ କରିବେ । ସମସ୍ୟାକୁ ଥାନା ଏବଂ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଏବଂ ଏସସିଏସଟି ବିଭାଗକୁ ଯୋଡ଼ାଯିବ ।














