ଭୁବନେଶ୍ୱର: ନବୀନ ପଟ୍ଟନାୟକ ଏବଂ ଭିକେ. ପାଣ୍ଡିଆନଙ୍କୁ କୋର୍ଟଙ୍କ ସମନ l ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ସ୍ଥାନକୁ ଶତାଧିକ ଥର ହେଲିକପ୍ଟରରେ ଗସ୍ତ ଓ ଭବ୍ୟ ସଭା କରିବା ଏବଂ ସେସବୁ ବାବଦରେ ହୋଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚକୁ ନେଇ ଦାଏର ରିଭିଜନ୍ ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍। ଏହି ମାମଲାରେ ଦୌରା ଜଜ୍ ବିଏନ୍ ମହାନ୍ତି ଉଭୟ ନବୀନ ଓ ପାଣ୍ଡିଆନଙ୍କୁ ସମନ୍ ଜାରି କରିବା ସହ ଆସନ୍ତା ଜୁଲାଇ ୧୫ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଆବେଦନକାରୀ ଶ୍ରୀ ମହାନ୍ତି ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ୨୦୨୩ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବାବେଳେ ଭିକେ.ପାଣ୍ଡିଆନ ପ୍ରାୟ ୩୦୦ରୁ ଅଧିକ ଥର ହେଲିକପ୍ଟର ଯୋଗେ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରିଥିଲେ। ସେହିସବୁ ସଭାରେ ବିଶାଳ ପେଣ୍ଡାଲ, ସାଜସଜ୍ଜା ଓ ଲୋକଙ୍କୁ ଆଣିବା ସମେତ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ କୋଟିକୋଟି ଟଙ୍କା ବ୍ୟୟ କରାଯାଇଥିଲା। ଏହି ଅର୍ଥ ପାଇଁ ରାଜକୋଷରୁ ଟଙ୍କାଟିଏ ମଞ୍ଜୁରୀ ଦିଆଯାଇନଥିଲେ ମଧ୍ୟ ଏହା କେଉଁଠୁ ଆସିଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଥିଲେ। ସରକାରୀ ନିୟମାବଳୀର ଉଲ୍ଲଂଘନ କରାଯାଇଥିବା ନେଇ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ।ଶ୍ରୀ ମହାନ୍ତି ମଧ୍ୟ ତାଙ୍କ ଅଭିଯୋଗପତ୍ରରେ ବିଭିନ୍ନ ବିଭାଗରୁ ସଂଗୃହୀତ ଆରଟିଆଇ ତଥ୍ୟକୁ ସାମିଲ କରିଥିଲେ।ଯାହାକୁ କୋର୍ଟ ଗ୍ରହଣ କରିବା ସହ ୧୫ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କୁ ନୋଟିସ୍ ଜାରି କରିଛନ୍ତି।

LEAVE A REPLY

Please enter your comment!
Please enter your name here