ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଶୁକ୍ରବାର ତାଙ୍କର ୫ଟି ସ୍ଥାନରେ ଏକକାଳୀନ ଖୋଳତାଡ଼ ପରେ ଶନିବାର ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ତାଙ୍କ ନାମରେ ୨ଟି ଘର, ୧୯ଟି ଉଚ୍ଚମୂଲ୍ୟର ପ୍ଲଟ୍, ୩.୩୦ ଲକ୍ଷ ନଗଦ, ୧୩୫ ଗ୍ରାମ ସୁନା ଅଳଙ୍କାର ଏବଂ ୫୫.୪୮ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ମିଳିଛି । କିନ୍ତୁ ଏହି ସମ୍ପତ୍ତି କେମିତି ଠୁଳ କଲେ ତାର ଉତ୍ତର ଦେଇ ପାରିନଥିଲେ ସାହାଣୀ । ଶୁକ୍ରବାର ଭିଜିଲାନ୍ସ କିଶୋର ସାହାଣୀଙ୍କ ମାମଲାରେ ୫ଟି ସ୍ଥାନରେ ଚଢ଼ାଉ କରିଥିଲା । କିଶୋରଙ୍କ ଜୋବ୍ରା ସ୍ଥିତ ଘର, ଦେଉଳ ସାହି ଶ୍ଵଶୁର ଘର, ସିଡିଏମଓ ଅଫିସ୍, ଚୌଦ୍ଵାରରେ ଥିବା ଫାର୍ମ, କିଶୋରନଗରରେ ଥିବା ଅନ୍ୟ ଏକ ଘରେ ରେଡ୍ ହୋଇଥିଲା । ଚଢ଼ାଉରେ ୯ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ସାମିଲ୍ ଥିଲେ ।














