ଅନଲାଇନ୍‌ରେ ବୁକିଂ କଲେ ପୁରୀ ଶ୍ରୀମନ୍ଦିରରେ ହେବ ପୂଜା । ଏନେଇ ୱେବସାଇଟ୍‌ରେ ଚାଲିଛି ବୁକିଂ । https://pujapariseva.com/ ନାମକ ଏକ ଜାଲି ୱେବସାଇଟ୍ ଏହି ବୁକିଂ କରୁଛି । ଯେଉଁଥିରେ ପୁରୀ ଜଗନ୍ନାଥ ମନ୍ଦିରର ଫଟୋ ସହ ବିଭିନ୍ନ ପୂଜା ପାଇଁ ରହିଛି ଭିନ୍ନ ଭିନ୍ନ ଦର ତାଲିକା । ପୂଜା ସହ ଶ୍ରଦ୍ଧାଳୁଙ୍କୁ ଶୁଖିଲା ଭୋଗ ଦିଆଯିବା ନେଇ ଉଲ୍ଲେଖ ରହିଛି ।
ସାଧାରଣ ଦର୍ଶନ ପୂଜା ପାଇଁ ୨୫୦୦ ଟଙ୍କା, ଚତୁର୍ଦ୍ଧା ବିଗ୍ରହଙ୍କ ପୂଜା ପାଇଁ ୪ ହଜାର ୭୫୦ ଟଙ୍କା, ସ୍ଵତନ୍ତ୍ର ଅଭିଷେକ ପୂଜା ପାଇଁ ୭ ହଜାର ୫୦୦ ଟଙ୍କା, ତୁଳସୀ ଦାନ ପୂଜା ପାଇଁ ୫ ହଜାର ୫୦୧ ଟଙ୍କା ଦେୟ ଦେବାକୁ ପଡ଼ିବ । କେବଳ ଭାରତୀୟ ମୁଦ୍ରା ନୁହେଁ ଡଲାରରେ ମଧ୍ୟ ଦେୟ ଦେବା ଲାଗି ୱେବସାଇଟ୍‌ରେ ବିକଳ୍ପ ରହିଛି । ସମ୍ପୃକ୍ତ ସଂସ୍ଥାର ସ୍ଵୀକୃତିପ୍ରାପ୍ତ ପୂଜାରୀ ଶ୍ରୀମନ୍ଦିରରେ ପୂଜା କରିବେ । ଏନେଇ ୱେବସାଇଟ୍‌ରେ ଦାବି କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଅନଲାଇନ୍‌ରେ ପୂଜା ବୁକିଂ ପାଇଁ କୌଣସି ବ୍ୟବସ୍ଥା କିମ୍ବା କାହାରିକୁ ଦାୟିତ୍ଵ ଦିଆଯାଇ ନଥିବା ବେଳେ ପୂଜାପରିସେବା ଡଟ୍ କମ୍ ନାମକ ସଂସ୍ଥାର ଏଭଳି ମନୋଭାବକୁ ବିରୋଧ କରାଯାଇଛି । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କୁ ନେଇ ଏଭଳି ପ୍ରଚାରକୁ ଜଗନ୍ନାଥ ପ୍ରେମୀ ତୀବ୍ର ବିରୋଧ କରିଛନ୍ତି । ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି, ଅନଲାଇନ୍‌ରେ ହୋଇଥିବା ପୂଜା ପରିସେବା ଏକ ଜାଲି ସଂସ୍ଥା । ଏହା ନକଲି ୱେବସାଇଟ୍, ଅନଲାଇନ୍‌ରେ କୌଣସି ସେବା ପୂଜା ହୁଏ ନାହିଁ । ଏ ଗୋଟିଏ ସଂସ୍ଥା ନୁହେଁ ଏଭଳି ଅନେକ ଜାଲି ସଂସ୍ଥା ରହିଛି । ମନ୍ଦିରରେ ପୂଜା ପାଇଁ ଅନଲାଇନ୍ ବ୍ୟବସ୍ଥା ନଥିବା କହିଛନ୍ତି ବରିଷ୍ଠ ସେବାୟତ । ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସ୍‌ପି ପ୍ରତୀକ ସିଂହ । ଏସ୍‌ପି କହିଛନ୍ତି, ଏଭଳି କୌଣସି ଅନଲାଇନ୍ ପୂଜା ବୁକିଂ ସାଇଟ୍‌ର ପ୍ରଲୋଭନରେ ପଡ଼ନ୍ତୁ ନାହିଁ । ହୋଟେଲ୍ ବୁକିଂ ବେଳେ ବି ଧ୍ୟାନ ଦିଅନ୍ତୁ । ପୋଲିସ ପକ୍ଷରୁ ଇଣ୍ଟରନେଟ୍ ପାଟ୍ରୋଲିଂ କରାଯାଉଛି, ଯେତେବେଳେ ନକଲି ୱେବସାଇଟ୍ ସାମ୍ନାକୁ ଆସୁଛି, ପୋଲିସ ପଦକ୍ଷେପ ନେଉଛି ।

LEAVE A REPLY

Please enter your comment!
Please enter your name here