ଗୋପାଳପୁର ଥାନା ଅଧୀନରେ ଘଟିଥିବା ଏକ ଘଟଣାରେ, ସୋମବାର ଜଣେ ନାବାଳିକା ଫିନାଇଲ ପିଇଥିବା ଅଭିଯୋଗରେ ପୁରୁଷ ବନ୍ଧୁଙ୍କୁ ପୋଲିସ ଗିରଫ କରିଛି। ନାବାଳିକାଙ୍କ ବାପାମାଆଙ୍କ ଅଭିଯୋଗ ଅନୁସାରେ, ସେହି ପୁରୁଷ ବନ୍ଧୁ ତାଙ୍କୁ ଅପହରଣ ଓ ଯୌନ ନିର୍ଯାତନା କରିଥିଲେ। ପୋଲିସ ଅଭିଯୁକ୍ତକୁ କୋର୍ଟକୁ ଚାଲାଣ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ଯୋଗ୍ୟ, ସୋମବାର ଜଣେ ନାବାଳିକା ତାଙ୍କ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଯାଇଥିଲେ । ବୁଲିସାରିବା ପରେ ଉଭୟ କିଛି ସମୟ ରହିବା ପାଇଁ ଏକ ଘର ଭଡ଼ା ମାଗିଥିଲେ। କିନ୍ତୁ ଘର ମାଲିକ କୌଣସି କାରଣରୁ ସେମାନଙ୍କୁ ମନା କରିଦେଇଥିଲେ । ଏହା ପରେ ଉଭୟ ନାବାଳିକା ଓ ପୁରୁଷ ବନ୍ଧୁ ଗୋପାଳପୁର ଥାନାକୁ ଯାଇଥିଲେ। ଏନେଇ ନାବାଳିକାଙ୍କୁ ଦେଖି ପୋଲିସ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା ।

ପରିବାର ସଦସ୍ୟମାନେ ଖବର ପାଇବା ମାତ୍ରେ ଥାନାକୁ ଯାଇଥିଲେ। ସେଠାରେ ନାବାଳିକା ଭୟବଶତ କିମ୍ବା ଅନ୍ୟ କାରଣରୁ ଫିନାଇଲ ପାନ କରିଥିବା ସନ୍ଦେହ ପୋଲିସ କରୁଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଗଲା, ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଅଛି। ଘଟଣା ପରେ ପୋଲିସ ପୁରୁଷ ବନ୍ଧୁଙ୍କୁ ଅଟକ କରି ପଚରାଉଚରା କରିଥିଲା ଏବଂ ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଶେଷରେ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here