ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କ୍ଷମତାକୁ ଫେରିଥିବାର ୭ ମାସ ପରେ ଆମେରିକାରେ ଚାକିରି କ୍ଷେତ୍ର ରେ ଅବସ୍ଥା ଦୁର୍ବଳ ଦେଖାଯାଇଛି । ଅଗଷ୍ଟ୍ ରେ କେବଳ ୨୨ ହଜାର ନୂଆ ନିଯୁକ୍ତି ସୃଷ୍ଟି ହୋଇଛି, ଯାହା ଆଶାଠୁ କମ୍ । ବେରୋଜଗାରୀ ହାର ୪.୩%କୁ ବୃଦ୍ଧି ପାଇଛି, ଯାହା ୪ ବର୍ଷରେ ସର୍ବାଧିକ । ଏହା ସହିତ ଦରବୃଦ୍ଧି ପୁଣି ଥରେ ଚାପ ସୃଷ୍ଟି କରୁଛି ।
ଋପୋର୍ଟ ଅନୁସାରେ, ଜୁନ୍ରେ ଆମେରିକାରେ ୧୩ ହଜାର କର୍ମଚାରୀ ଚାକିରି ହରାଇଥିଲେ, ଯାହା ୨୦୨୦ ଡିସେମ୍ବର ପରେ ସବୁଠାରୁ ବଡ଼ ହ୍ରାସ । ମ୍ୟାନୁଫେକ୍ଟରିଂରେ ୪୨ ହଜାର ଏବଂ ନିର୍ମାଣରେ ୮ ହଜାର ଚାକିରି କମିଛି । ତୈଳ ଓ ଗ୍ୟାସ କ୍ଷେତ୍ରରେ ମଧ୍ୟ ୧୨ ହଜାର ନିଯୁକ୍ତି ହ୍ରାସ ପାଇଛି । ଟ୍ରମ୍ପଙ୍କ ଦାବି ଥିଲା ଯେ ଟାରିଫ ନୀତି ନୂଆ ଚାକିରି ଦେବ, କିନ୍ତୁ ବାସ୍ତବରେ ଅର୍ଥବ୍ୟବସ୍ଥା ଧିମା ହୋଇଗଲା । ଦରବୃଦ୍ଧି ବଢାଇଲା ସରକାରଙ୍କ ଚିନ୍ତା । ଟ୍ରମ୍ପ ଶପଥ ନେବାର ପ୍ରଥମ ଦିନରେ କହିଥିଲେ ଯେ, ଦରବୃଦ୍ଧି ହ୍ରାସ ହେବା ସହ ବିଜୁଳି ଦର ଅଧା ହୋଇଯିବ । ହେଲେ ଏପ୍ରିଲରେ ୨.୩ ପ୍ରତିଶତର ବାର୍ଷିକ ମହଙ୍ଗା ଦର ଜୁଲାଇରେ ବଢି ୨.୭ ପ୍ରତିଶତରେ ପହଞ୍ଚିଛି । ବିଜୁଳି ବିଲ୍ ମଧ୍ୟ ଚଳିତ ବର୍ଷ ୪.୬ ପ୍ରତିଶତ ବୃଦ୍ଧି ପାଇଛି । ଟ୍ରମ୍ପଙ୍କ ଟାରିଫ ପଲିସି ଅନେକ କମ୍ପାନିକୁ ସାମଗ୍ରୀର ଦର ବଢାଇବା ପାଇଁ ବିବଶ କରିଛି । ଟ୍ରମ୍ପଙ୍କ ଖରାପ ନୀତି ପାଇଁ ଏମିତି ସ୍ଥିତି ଉପୁଜିଛି ବୋଲି କହିଛନ୍ତି ଫେଡେରାଲ ରିଜର୍ଭର ଚେୟାରମ୍ୟାନ ଜେରୋମ ପାୱେଲ । ତାଙ୍କ କହିବା କଥା ଯଦି ସୁଧ ହାର କମ କରାଯାଇଥାନ୍ତା ତେବେ ନିଯୁକ୍ତି ବଢିଥାନ୍ତା ।














