ଶନିବାର ରାତିରେ ପାକିସ୍ତାନୀ ସେନା ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ନୌଗାମ ସେକ୍ଟରରେ ଅସ୍ତ୍ରବିରତି ଉଲଂଘନ କରି ଅବାଧ ଗୁଳିମାଡ କରିଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେନା ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ନିଶ୍ଚିତ କରାଯାଇ ନଥିଲା। ସୂତ୍ର ଅନୁସାରେ ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ ପାକିସ୍ତାନ ନୌଗାମ ସେକ୍ଟରର ଟୁଟମାର ଗାଲିରେ ଭାରତୀୟ ପୋଷ୍ଟ ଉପରେ ଗୁଳିଚାଳନା କରିଥିଲା। ଭାରତୀୟ ସେନାର ସୈନିକମାନେ ପ୍ରଥମେ ସଂଯମତା ଅବଲମ୍ବନ କରିଥିଲେ। ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଦୁଇପକ୍ଷୀୟ ଗୁଳିବର୍ଷା ଚାଲିଥିଲା। ପାକିସ୍ତାନୀ ସୈନିକମାନେ ଗୁଳିମାଡ଼ ବନ୍ଦ କରିବା ପରେ ଭାରତୀୟ ସୈନିକମାନେ ମଧ୍ୟ ବନ୍ଦ କରିଥିଲେ। କିନ୍ତୁ ପ୍ରାୟ ତିନି ଘଣ୍ଟା ପରେ, ରାତି ୯.୩୦ରେ, ପାକିସ୍ତାନୀ ସେନା ପୁନର୍ବାର ଭାରତୀୟ ପୋଷ୍ଟ ଉପରେ ଗୁଳି ମାଡ଼ କରିଥିଲେ ,ତାହାର ଜବାବରେ ଭାରତୀୟ ସେନା କଡ଼ା ଜବାବ ଦେଇଥିଲେ। ସୂତ୍ର ଅନୁଯାୟୀ, ଟୁଟମାର ଗାଲି ସମ୍ମୁଖୀନ ଏଲଓସି ପାରର ଲିପା ଭ୍ୟାଲିରେ ଥିବା ପାକିସ୍ତାନୀ ପର୍ଯ୍ୟବେକ୍ଷଣ ପୋଷ୍ଟ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ ଉଧମପୁର ଜିଲ୍ଲାର ସେଓଜଧର ଜଙ୍ଗଲରେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରୁ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଜଣେ ସୈନିକ ସହିଦ ହୋଇଥିଲେ। ସୁରକ୍ଷା ବାହିନୀ ଶନିବାର ଲଗାତାର ଦ୍ୱିତୀୟ ଦିନ ପାଇଁ ସମଗ୍ର ଅଞ୍ଚଳ ଚାରିପାଖରେ ଘେରାବନ୍ଦୀ କଡ଼ାକଡ଼ି କରି ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେମାନଙ୍କର ଅଭିଯାନକୁ ତୀବ୍ର କରିଛି।














