ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍ କହିଛନ୍ତି ସିସିଟିଭି ଫୁଟେଜ୍ରୁ ମିଳିଥିବା ତଥ୍ୟ ଆଧାରରେ ତଦନ୍ତ କରାଯାଉଛି। ପୀତବାସଙ୍କ ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍ପି କହିଛନ୍ତି, “ମୃତଦେହରୁ ମିଳିଥିବା ଗୁଳି ଖୋକାକୁ ବାଲିଷ୍ଟିକ ବିଶେଷଜ୍ଞଙ୍କ ନିକଟକୁ ପଠାଇଛି । ରିପୋର୍ଟ ଆସିବା ପରେ ଜଣା ପଡ଼ିବ କେଉଁ ବନ୍ଧୁକରୁ ଗୁଳି କରିଛନ୍ତି ଦୁର୍ବୃତ୍ତ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ କେଉଁ ଦିଗରୁ ଗୁଳିମାଡ଼ ହୋଇଥିଲା ଆଉ କ୍ଷତ କେତେ ଗଭୀର ଥିଲା । ଘଟଣାସ୍ଥଳକୁ ଯାଇ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଥିବା ବେଳେ ତଥ୍ୟ ପ୍ରଦାନ କରିଛି ।”
ବ୍ରହ୍ମପୁର ପୋଲିସ ପୀତବାସ ପଣ୍ଡା ହତ୍ୟା ମାମଲାରେ ୫୦ରୁ ଅଧିକ ସିସିଟିଭି ଚେକ୍ କରିସାରିଛି। ସିସିଟିଭି ଫୁଟେଜରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ବୋଲି ଏସ୍ପି ଶ୍ରବଣା ବିବେକ ଏମ୍ କହିଛନ୍ତି। ସେ ଆହୁରି କହିଛନ୍ତି, “ପୀତବାସ କେଉଁଠୁ ବାହାରିଲେ, କେଉଁ ପଥ ଦେଇ ଗଲେ ଏବଂ ସେ ଯେଉଁଠି ଅଟକିଲେ, ସେଠାରେ କିଛି ସନ୍ଦିଗ୍ଧ ପୁର୍ବରୁ ଅଟକି ରହିଥିଲେ ସେମାନଙ୍କୁ ଏବେ ପୋଲିସ ପଚରାଉଚରା କରୁଛି। ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଗୁଳି କରିଥିବା ଦୁଇ ଦୁର୍ବୃତ୍ତଙ୍କୁ ସବୁ ସୂଚନା କିଏ ଦେଉଥିଲା, ସେ ଦିଗରେ ବ୍ରହ୍ମପୁର ପୋଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ଛାନଭିନ୍ ବେଳେ ଏକ ଦାମୀ ଗାଡ଼ି ଉପରେ ପୋଲିସଙ୍କ ସନ୍ଦେହ ବଢ଼ିଛି। ସେ ଗାଡ଼ିରେ ଥିବା ବ୍ୟକ୍ତିମାନଙ୍କୁ ଏବେ ପଚରାଉଚରା କରାଯାଉଛି। ଏସ୍ପି ଶ୍ରବଣା ବିବେକ ଏମ୍ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୫୦ରୁ ୬୦ ଜଣଙ୍କୁ ପୋଲିସ ପଚରଉଚରା କରିଛି ଏବଂ ୫ରୁ ୬ ଜଣ ସନ୍ଦିଗ୍ଧ ଉପରେ ବିଶେଷ ତଦନ୍ତ ଚାଲିଛି। ହତ୍ୟାକାଣ୍ଡ ମାମଲାରେ ପୋଲିସ ଜଣେ CISF ଯବାନ ସହ ୩ ଜଣଙ୍କୁ ଅଟକ ରଖିଛି । ରାଜ୍ୟ ବାହାରକୁ ଗୋଟିଏ ଟିମ୍ ଯାଇଥିବା ସୂଚନା ମିଳିଛି । କଲ୍ ଡିଟେଲସରୁ ବଡ଼ ପ୍ରମାଣ ମିଳୁଛି ବୋଲି ସୂଚନା ମିଳିଛି ।














