ଅପରେସନ ସିନ୍ଦୂର ପରେ ମାତ୍ର ପାଞ୍ଚ ମାସ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ କ୍ରୟ ପାଇଁ ନିଜ ବଜେଟର ୫୦ ପ୍ରତିଶତରୁ ଅଧିକ ଖର୍ଚ୍ଚ କରିସାରିଛି। ଏହି ଆର୍ଥିକ ବର୍ଷ ପାଇଁ ପୁଞ୍ଜି ଖର୍ଚ୍ଚ ରାଶି ଅନୁମାନ ୧.୮୦ ଲକ୍ଷ କୋଟି ଥିବାବେଳେ, ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୯୩,୦୦୦ କୋଟି ଖର୍ଚ୍ଚ ହୋଇସାରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ପୁଞ୍ଜି ଖର୍ଚ୍ଚର ୫୦ ପ୍ରତିଶତରୁ ଅଧିକ ବ୍ୟବହାର ଆଗାମୀ ବର୍ଷରେ ସଶସ୍ତ୍ର ବାହିନୀର ଆଧୁନିକୀକରଣ ପାଇଁ ଆବଶ୍ୟକ ବିମାନ, ଯୁଦ୍ଧଜାହାଜ, ବୁଡ଼ାଜାହାଜ, ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଉପକରଣର ସମୟସୀମାରେ ଯୋଗାଣ ସୁନିଶ୍ଚିତ କରିବ। ଅଧିକାଂଶ ବ୍ୟୟ ବିମାନ ଓ ଏରୋ ଇଞ୍ଜିନ କିଣିବାରେ ହୋଇଛି, ତାହାପରେ ସେନା ସାମଗ୍ରୀ, ଇଲେକ୍ଟ୍ରୋନିସ୍କ ଯୁଦ୍ଧ ଉପକରଣ, ଅସ୍ତ୍ର ଓ କ୍ଷେପଣାସ୍ତ୍ର ପାଇଁ ଖର୍ଚ୍ଚ ହୋଇଛି। ପୂର୍ବ ଆର୍ଥିକ ବର୍ଷରେ ପ୍ରତିରକ୍ଷା ମନ୍ତ୍ରଣାଳୟ ୧.୬୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ଖର୍ଚ୍ଚ ପୂରାପୂରି ବ୍ୟୟ କରିଥିଲା। ପ୍ରତିରକ୍ଷା କ୍ଷେତ୍ର ପାଇଁ ପୁଞ୍ଜି ଖର୍ଚ୍ଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଦେଶର ଜାତୀୟ ସୁରକ୍ଷା ପାଇଁ ଅତ୍ୟାବଶ୍ୟକ ନୂତନ ସମ୍ପତ୍ତି ଅଧିଗ୍ରହଣ, ଗବେଷଣା ଏବଂ ବିକାଶ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ପାଣ୍ଠି ଯୋଗାଇଥାଏ। ଏହା ବ୍ୟତୀତ, ପୁଞ୍ଜି ଖର୍ଚ୍ଚର ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ଉପରେ ବହୁଗୁଣିତ ପ୍ରଭାବ ପଡ଼ିଥାଏ। ବ୍ୟୟ ଏବଂ ଅନୁମୋଦନର ଏହି ଗତି ସହିତ, ପ୍ରତିରକ୍ଷା ମନ୍ତ୍ରଣାଳୟ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପୁଞ୍ଜି ଆବଣ୍ଟନକୁ ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ପ୍ରତିବଦ୍ଧ। ଏହା ସହିତ, ମନ୍ତ୍ରଣାଳୟ ସଂଶୋଧିତ ଆକଳନରେ ବିଚାର ପାଇଁ ବଜେଟ ଆକଳନ ଉପରେ କାର୍ଯ୍ୟ କରୁଛି।

LEAVE A REPLY

Please enter your comment!
Please enter your name here