ରାଜ୍ୟର ବହୁ ଚର୍ଚ୍ଚିତ ଆଇନଜୀବୀ ଏବଂ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାର ରହସ୍ୟ ଅବଶେଷରେ ଖୋଲିଲା।ଅକ୍ଟୋବର ୬ ତାରିଖ ପୀତବାସ ପଣ୍ଡାଙ୍କୁ ତାଙ୍କ ବାସଭବନ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିଲେ । ଫଳରେ ପୀତବାସଙ୍କର ମୃତ୍ୟୁ ହୋଇଥିଲା । ପୀତବାସଙ୍କ ଶରୀରରୁ ୯ ଏମ୍ଏମ୍ ଗୁଳି ବାହାରିଥିଲା । ଛାତି ଭେଦ କରି ତାଙ୍କ ମେରୁଦଣ୍ଡରେ ଗୁଳି ବାଜିଥିଲା । ପୀତବାସଙ୍କ ଶରୀରୁ ପ୍ରାୟ ୪ ଲିଟର୍ ରକ୍ତ ବୋହିଥିଲା । ଏହି ମାମଲାରେ ପ୍ରାୟ ୧୫ ଦିନ ଧରି ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଜେରା କରିଛି ପୋଲିସ।
୧୭ ଦିନ ଧରି ତଦନ୍ତ ପରେ ବ୍ରହ୍ମପୁର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ବିଜେଡ଼ି ନେତାଙ୍କ ନାମ ମଧ୍ୟ ଆସିଛି। ପୂର୍ବତନ ବିଜେଡ଼ି ବିଧାୟକ ଓ ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ସହିତ ମୋଟ ୧୨ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ବିକ୍ରମଙ୍କ ସହଯୋଗୀ ମଦନ ଦଳେଇ, ପୂର୍ବତନ ବ୍ରହ୍ମପୁର ମେୟର ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ , ବିଜେଡ଼ି କର୍ପୋରେଟର୍ ମଳୟ ବିଷୋୟୀ, ମଦନ ମୋହନ ଦଳେଇ, ସୁଟର୍ ଚିଣ୍ଟୁ ପ୍ରଧାନ, ଛାତ୍ରନେତା ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର ସାହୁ, କୁରୁପତି ଭୂୟାଁ, ପାଟନାର ଶିଶୁପାଲ କୁମାର ପାସୱାନ, କୁନ୍ଦୱ କୁମାର, ବିପିନ ସ୍ୱାଇଁ ଓ ସୀମାଞ୍ଚଳ ନାୟକ । ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ବ୍ରହ୍ମପୁର ଏସପି ସାମ୍ବାଦିକ ସମ୍ମିଳନୀରେ ସବୁ ତଥ୍ୟ ପ୍ରଦାନ କରିଛନ୍ତି ।
ଗତରାତି ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ପୂର୍ବତନ ବିଜେଡ଼ି ବିଧାୟକ ବିକ୍ରମ ପଣ୍ଡାଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲା। ପୋଲିସ ତାଙ୍କୁ ଏକ ଗୋପନ ସ୍ଥାନରେ ନେଇ ଦୀର୍ଘ ସମୟ ପଚରାଉଚରା କରିଥିଲା। ଏହା ପୂର୍ବରୁ ମଧ୍ୟ ପୂର୍ବତନ ମେୟର ଶିବ ଶଙ୍କର ଦାସ, ଜଣେ କର୍ପୋରେଟର, ଜଣେ ଛାତ୍ର ନେତା ଓ ଦୁଇଜଣ ସୁଟର୍ଙ୍କୁ ଅଟକ ରଖାଯାଇଥିଲା । ଆଜି ପୂର୍ବାହ୍ନରେ ବିକ୍ରମ ପଣ୍ଡା, ମଦନ ଦଳେଇ, ଶିବଶଙ୍କର ଦାସ ଓ ମଳୟ ବିଷୋୟୀଙ୍କୁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି।ଖବର ପାଇ ବିଜେଡ଼ି କର୍ମୀମାନେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ଘେରିବାକୁ ଉଦ୍ୟମ କରିଛନ୍ତି । ବିଜେଡ଼ି କର୍ମୀ ଏବଂ ବିକ୍ରମଙ୍କ ସମର୍ଥକମାନେ ଏସପି କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିଛନ୍ତି । କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।













