ତେଲେଙ୍ଗାନାର ବାସିନ୍ଦା ମହମ୍ମଦ ଅହମ୍ମଦଙ୍କ ସ୍ବପ୍ନ ଥୂଲା ରୁଷର ଏକ କନ୍ଷ୍ଟ୍ରକ୍ସନ କମ୍ପାନୀରେ କାମ କରିବା । ଏପ୍ରିଲରେ ସେ ତେଲେଙ୍ଗାନା ଛାଡ଼ି ରୁଷରେ ପହଞ୍ଚିଥିଲେ। କିନ୍ତୁ କଛି ଦିନ ପରେ ସେ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫସିଗଲେ। ଏଜେଣ୍ଟ ତାଙ୍କୁ ଚାକିରି ଦେବା ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏଜେଣ୍ଟ ତାଙ୍କୁ ଧୋକା ଦେଇଛି। ବର୍ତ୍ତମାନ ସେ ୟୁକ୍ରେନ୍ ସହ ଯୁଦ୍ଧରେ ଯୋଗ ଦେବାକୁ ବାଧ୍ୟ ହେଉଛନ୍ତି ଏବଂ ଏକ ଭିଡିଓ ମାଧ୍ୟମରେ ନିଜର ଦୁଃଖଦ ଘଟଣା ଜଣାଇଛନ୍ତି। ମହମ୍ମଦଙ୍କ ପତ୍ନୀ ଅଫଶା ବେଗମ, ଯିଏ କି ହାଇଦ୍ରାବାଦରେ ରୁହନ୍ତି । ସେ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖି ତାଙ୍କ ସ୍ୱାମୀକୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ସେ କହିଛନ୍ତି ରୁଷରେ ତାଙ୍କ ସ୍ୱାମୀ ଫସି ଯାଇଛନ୍ତି ଏବଂ ତାଙ୍କୁ ଯୁଦ୍ଧରେ ସାମିଲ ହେବାକୁ ବାଧ୍ୟ କରାଯାଉଛି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଲେଖିଥିବା ଏହି ଚିଠିରେ, ଅହମ୍ମଦଙ୍କ ପତ୍ନୀ କହିଛନ୍ତି ଯେ ମୁମ୍ବାଇର ଏକ କନ୍ସଲଟାନ୍ସି ସଂସ୍ଥା ତାଙ୍କ ସ୍ୱାମୀଙ୍କୁ ରୁଷର ଏକ କନ୍ଷ୍ଟ୍ରକ୍ସନ କମ୍ପାନୀରେ ଚାକିରି କରାଇଦେବେ କହି ତାଙ୍କୁ ଠକି ଦେଇଛନ୍ତି ।
ମହମ୍ମଦ ଭିଡିଓ ରେକର୍ଡ ରେ କହିଛନ୍ତି ଯେ , “ମୋ ଗୋଡରେ ପ୍ଲାଷ୍ଟର ଲାଗିଛି, ମୁଁ ଚାଲିପାରୁନାହିଁ। ମୋ ସହିତ ତାଲିମ ନେଇଥିବା ୨୫ ଜଣଙ୍କ ମଧ୍ୟରୁ ୧୭ ଜଣ ପ୍ରାଣ ହରାଇସାରିଛନ୍ତି । ଯେଉଁଥିରେ ଜଣେ ଭାରତୀୟ ମଧ୍ୟ ଅଛନ୍ତି । ସେ କହିଛନ୍ତି, “ମୁଁ ଯେଉଁଠି ଅଛି, ତାହା ବର୍ଡର ଏରିଆ ଏବଂ ଏଠାରେ ଯୁଦ୍ଧ ଚାଲିଛି। ଆମେ ଚାରି ଜଣ ଭାରତୀୟ ଯୁଦ୍ଧ କ୍ଷେତ୍ରକୁ ଯିବାକୁ ମନା କରିଥିଲୁ। ସେମାନେ ଆମକୁ ଯୁଦ୍ଧ କରିବାକୁ ଧମକ ଦେଇଥିଲେ । ମୁଣ୍ଡରେ ବନ୍ଧୁକ ଲଗାଇ ମାରିଦେବେ କହିଲେ ଏବଂ ମୋ ମୃତ୍ୟୁ ଡ୍ରୋନ୍ ଆଟାକ୍ରେ ହୋଇଛି ଦର୍ଶାଇବେ ବୋଲି ଧମକ ଦେଲେ । ଦୟାକରି ମୋତେ ଏଠାକୁ ପଠାଇଥିବା ସେଇ ଧୋକେବାଜ ଏଜେଣ୍ଟଙ୍କୁ ଉଚିତ୍ ଦଣ୍ଡ ଦେବେ, ଯିଏ ମୋତେ ଏଠାକୁ ପଠାଇଛି’ । ସେ ମୋତେ ଏସବୁରେ ଫସାଇ ଦେଇଥିଲେ। ସେ ମୋତେ ୨୫ ଦିନ ପର୍ଯ୍ୟନ୍ତ କାମ ନଦେଇ ସେମିତି ବସାଇଥିଲା। ମୁଁ କାମ ମାଗୁଥିଲି, କିନ୍ତୁ ସବୁ ବ୍ୟର୍ଥ। ରୁଷିଆରେ ଚାକିରି ଦେବା ବାହାନାରେ ମୋତେ ଜୋରଜବରଦସ୍ତି ଯୁଦ୍ଧକୁ ପଠାଇ ଦେଇଥିଲେ।”














