ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ପୁଣି ହେବ ଯୁଦ୍ଧ । ପାକିସ୍ତାନକୁ ଚେତାବନୀ ଦେଇଛି ଆଫଗାନିସ୍ତାନ । କହିଲା ଆମେ କୌଣସି ବି ମୁହୁର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ । ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ଏପରି ପରିସ୍ଥିତି ଉପୁଜିଛି । ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଶନିବାର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଯୁଦ୍ଧ ପରିସ୍ଥିତି ଉପୁଜିବାର ମୁଖ୍ୟ କାରଣ ଇସଲାମାବାଦର ଅବାସ୍ତବ ଦାବି ବୋଲି କହିଛନ୍ତି ମୁଜାହିଦ । ଇସଲାମାବାଦ ଦାବି କରିଥିଲା ଯେ ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଆଫଗାନିସ୍ତାନ ଦାୟିତ୍ବ ଗ୍ରହଣ କରିବ। କିନ୍ତୁ ଏହା ଏପରି ଏକ ଅନୁରୋଧ ଯାହା କାବୁଲର କ୍ଷମତା ବାହାରେ ବୋଲି ମୁଜାହିଦ କହିଛନ୍ତି। ମୁଜାହିଦ କହିଛନ୍ତି ଯେ, ଅସ୍ତ୍ରବିରତି ଆମେ ଉଲ୍ଲଂଘନ କରିନାହୁଁ ଆମେ ଏହାକୁ ପାଳନ କରିବାକୁ ଚାହୁଛୁ। ନଭେମ୍ବର ପହିଲାରେ ଶେଷ ହୋଇଥିବା ସପ୍ତାହରେ ଆଫଗାନିସ୍ତାନ ନାଗରିକଙ୍କ ଗିରଫଦାରୀ ପାକିସ୍ତାନରେ ୧୪୬ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଜାତିସଂଘର ଶରଣାର୍ଥୀ ହାଇକମିସନର ଏବଂ ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର୍ ମାଇଗ୍ରେସନଙ୍କ ମିଳିତ ରିପୋର୍ଟରେ କୁହାଯାଇଛି।ଏହି ସମୟ ମଧ୍ୟରେ ଆଫଗାନିସ୍ତାନର ମୋଟ ୭,୭୬୪ ନାଗରିକଙ୍କୁ ପାକିସ୍ତାନ ଅଟକ ରଖିଥିଲା। ସେପ୍ଟେମ୍ବର ୨୦୨୩ ପରଠାରୁ ୧.୬ ନିୟୁତରୁ ଅଧିକ ଲୋକ ଆଫଗାନିସ୍ତାନକୁ ଫେରିଛନ୍ତି। ଅସୀମ ମୁନିରଙ୍କୁ ନୂଆ ପଦବୀରେ ବସାଇଛି ଦେଶ । ପାକିସ୍ତାନ ସାମ୍ବିଧାନିକ ଭାବରେ ଏହାର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହି ପରିବର୍ତ୍ତନ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ପ୍ରତିରକ୍ଷା ବାହିନୀର କମାଣ୍ଡର ହେବା ପାଇଁ ପଥ ପ୍ରଶସ୍ତ କରିପାରେ । ଏହି ପଦବୀ ସମସ୍ତ ତିନି ସଶସ୍ତ୍ର ବାହିନୀ ଉପରେ ସର୍ବୋଚ୍ଚ କମାଣ୍ଡ ପ୍ରଦାନ କରିବ।













