ଭୁବନେଶ୍ୱର: ଆଜି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । କେବଳ ଓଡ଼ିଶା ନୁହେଁ ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଭକ୍ତ ଛୁଟିଆସିଥାନ୍ତି ଶଙ୍ଖକ୍ଷେତ୍ର ପୁରୀକୁ । ବଡ଼ଦାଣ୍ଡ ହୋଇଉଠିଛି ଭକ୍ତମୟ । ଶ୍ରୀକ୍ଷେତ୍ର ଆଜି ଜଗନ୍ନାଥମୟ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶରେ ବଡ଼ଦାଣ୍ଡ ହୋଇଉଠିଛି ଜନାର୍କୀଣ୍ଣ । ଠାକୁରଙ୍କ ଭାବରେ ସମସ୍ତେ ଆଜି ଭାବମୟ । କାହା ମୁହରୁ ଝରିଆସୁଛି ଜୟ ଜଗନ୍ନାଥ ତ କିଏ ହରିବୋଲ, ହୁଳହୁଳି ଶବ୍ଦରେ ପ୍ରକମ୍ପିତ କରିଦେଉଛି ବଡ଼ଦାଣ୍ଡକୁ । ପ୍ରାତଃ ସକାଳୁ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଭାବର ଠାକୁର ଜଗନ୍ନାଥ ରତ୍ନବେଦୀ ଛାଡ଼ି ଘଂଟ-ଘଂଟା, ତୂରୀ-କାହାଳୀ, ମହୁରୀ, ପଖଜ, ମର୍ଦ୍ଦଳର ଧ୍ୱନୀରେ ଭକ୍ତଙ୍କ ଗହଣରେ ପହଣ୍ଡି ବିଜେ କରିଛନ୍ତି ବଡ଼ଦାଣ୍ଡକୁ । ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ନଅ ଦିନର ଯାତ୍ରା । ବଡ଼ଦାଣ୍ଡରେ ଏକାଠି ହୋଇଯାଇଛନ୍ତି ଠାକୁର ଓ ଭକ୍ତ । ହିନ୍ଦୁ, ମୁସଲ୍ମାନ, ଖ୍ରୀଷ୍ଟିଆନ ସମସ୍ତ ଲୀନ ହୋଇଯାଇଛନ୍ତି ଠାକୁରଙ୍କ ଭାବରେ । ଚତୁର୍ଦ୍ଧାମୂର୍ତି ରଥାରୁଢ଼ ହେବାପରେ ଠାକୁରରାଜ ଗଜପତି ମହାରାଜ ରଥରେ ଛେରା ପହଁରା କରିଥିଲେ । ଏହାପରେ ଭକ୍ତମାନେ ଆଗେଗଭରା ମନରେ ରଥ ଟାଣିବା ଆରମ୍ଭ କରିଥିଲେ । କିିଛି ସମୟ ରଥଟଣା ହେବାପରେ ବାଟରେ ମାଉସୀ ମା ମନ୍ଦିରେ ଅଟକି ଥିଲା ତିନି ରଥ । ଏଠି ମାଉସୀଙ୍କ ହାତ ତିଆରି ପୋଡ଼ ପିଠା ଖାଇଲା ପରେ ପୁଣି ରଥଟଣା ଆରମ୍ଭ ହୋଇଥିଲା ।
ବଡ଼ଦାଣ୍ଡରେ ଶାନ୍ତି ଶୃଙ୍ଖଳା ରକ୍ଷା ନେଇ ପ୍ଲାଟୁନ୍ ପ୍ଲାଟୁନ ପୋଲିସ ମୁତୟନ ହେବା ଦେଖାଦେଇଛି । ସବୁ ଭକ୍ତମାନେ ଯେପରି ସୁରୁଖୁରୁରେ ଠାକୁରଙ୍କୁ ଦର୍ଶନ କରିବେ ଏନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ୍ ମହାନିର୍ଦେଶକ ।
ଭକ୍ତମାନଙ୍କ ସେବା ପାଇଁ ବଡ଼ଦାଣ୍ଡର ଅନେକ ସ୍ଥାନରେ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଖୋଲାଯାଇଛି ଅନ୍ନଛତ୍ରଠାରୁ ଆରମ୍ଭ କରି ଜଳଛତ୍ର ପର୍ଯ୍ୟନ୍ତ ।
ଶ୍ରୀମନ୍ଦିରର ଭଣ୍ଡାରଘର ଚାବି ହଜିବା ଘଟଣାର ସମାଧାନ ନ ହୋଇଥିଲେ ମଧ୍ୟ ରଥଯାତ୍ରା ଭଳି ଏକ ପବିତ୍ର ଉତ୍ସବକୁ ସମସ୍ତେ ମନଭରି ଉପଭୋଗ କରିଥିଲେ ।
ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟର୍ ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶବାସୀ ସୁଖରେ ରହିବା ସହ ଜୀବନ ମଙ୍ଗଳମୟ ହେବା ନେଇ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here