ଧର୍ମଶାଳାରେ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ସମର୍ଥକମାନେ ମୁହାଁମୁହିଁ ହେଇଛନ୍ତି । ଏହାପରେ ଉଭୟ ପକ୍ଷରୁ ଯାଜପୁରରୁ ରାଜଧାନୀ ଯାଏଁ ରାତି ତମାମ ଧାରଣା ଦିଆଯାଇଛି ।ଆକ୍ରମଣକାରୀକୁ ଗିରଫ କରିବାକୁ ଗତକାଲି ରାତିରୁ ଧାରଣା ଦିଆଯାଇଛି । ଧର୍ମଶାଳାରେ ବିଧାୟକ ହିମାଂଶୁ ଶେଖର ସାହୁ ଏବଂ ବିଜେପି କର୍ମୀମାନେ ଧାରଣାରେ ବସିଛନ୍ତି । ସମର୍ଥକମାନେ ଜେନାପୁର ଥାନା ମଧ୍ୟ ଘେରାଉ କରିଛନ୍ତି । ଯେପର୍ଯ୍ୟନ୍ତ ସୁନୀଲ ପଣ୍ଡାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଗିରଫ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି । ବିଗତ ଦେଢ଼ ବର୍ଷ ହେବ ଧର୍ମଶାଳା ଶାନ୍ତ ଥିବାବେଳେ ବିଜେଡ଼ି କର୍ମୀମାନେ ଅଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଭୁବନେଶ୍ୱରରେ ବିଜେଡ଼ିର ବହୁ ବରିଷ୍ଠ ନେତା ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ବିଧାୟକ ଅରୁଣ ସାହୁଙ୍କ ଅନେକ କାର୍ଯ୍ୟକର୍ତ୍ତା ଓ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକମାନେ ଭୁବନେଶ୍ୱରସ୍ଥିତ ଡିଜି କ୍ୟାମ୍ପ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ବିଧାୟକ ହିମାଂଶୁ ସାହୁଙ୍କୁ ଗିରଫ କରିବାକୁ ବିଜେଡ଼ି କର୍ମୀମାନେ ଧାରଣାରେ ବସିଛନ୍ତି । ସୁଚନା ଅନୁଯାୟୀ , ଧର୍ମଶାଳା ବ୍ଲକ୍ ଜେନାପୁର ଥାନା ପନ୍ତୁରୀଠାରେ ବିଧାୟକ ହିମାଂଶୁ ସାହୁ ଏବଂ ପୂର୍ବତନ ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ । ପନ୍ତୁରୀଠାରେ ଥିବା ପ୍ରଣବଙ୍କ ଫାର୍ମହାଉସରେ ବଣଭୋଜି ଚାଲିଥିବାବେଳେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ସୁନୀଲ ପଣ୍ଡା ଓ ନିଗମାନନ୍ଦ ଦାଶ ଏକ ଗାଡ଼ିରେ ସେହି ରାସ୍ତା ଦେଇ ଫେରୁଥିଲେ । ଏହି ସମୟରେ ଉଭୟ ପକ୍ଷ ମୁହାଁମୁହିଁ ହେବାପରେ ସୁନୀଲ ଏବଂ ନିଗମାନନ୍ଦ ଗୁରୁତର ଆହତ ହୋଇଥିଲେ , ସେମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିବା ସହ ଫାର୍ମହାଉସ ଭଙ୍ଗାରୁଜା କରିଥିଲେ ।ତାଙ୍କର କର୍ମୀ ମଧ୍ୟ ଗୁରୁତର ଆହତ ହୋଇଥିବା ପ୍ରଣବ ବଳବନ୍ତରାୟ ଥାନାରେ ଅଭିଯୋଗ କରିଛନ୍ତି ।













