ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଚାଲିଥିବା ସଂଘର୍ଷ ଜାରି ରହିଥିବା ବେଳେ ବ୍ୟାଙ୍କକର ବିବାଦୀୟ ସ୍ଥାନରେ ଥିବା ଭଗବାନ ବିଷ୍ଣୁଙ୍କ ଏକ ପ୍ରତିମାକୁ ଧ୍ୱଂସ କରି ଦିଆଯାଇଛି । ସମ୍ବାଦ ସଂସ୍ଥା AFP ର ଏକ ରିପୋର୍ଟ ଅନୁଯାୟୀ, ପ୍ରେଆହ୍ ୱିହିଆରର ପ୍ରବକ୍ତା ଲିମ୍ ଚାନପନ୍ହା କହିଛନ୍ତି ଯେ, ଏହି ପ୍ରତିମା ଆନ୍ ସେସ୍ ଅଞ୍ଚଳରେ କାମ୍ବୋଡିଆ ଭୂଭାଗ ମଧ୍ୟରେ ଅବସ୍ଥିତ ଥିଲା। ଚାନପନ୍ହା କହିଛନ୍ତି ଯେ 2014 ମସିହାରେ ନିର୍ମିତ ବିଷ୍ଣୁ ପ୍ରତିମାଟିକୁ ସୋମବାର ଦିନ ଧ୍ୱଂସ କରାଯାଇଥିଲା, ଯାହା ଥାଇଲ୍ୟାଣ୍ଡ ସୀମାରୁ ପ୍ରାୟ 100 ମିଟର (328 ଫୁଟ୍) ଦୂରରେ ଥିଲା। ବୌଦ୍ଧ ଓ ହିନ୍ଦୁ ଭକ୍ତମାନେ ପୂଜା କରୁଥିବା ପ୍ରାଚୀନ ମନ୍ଦିର ଓ ପ୍ରତିମାଗୁଡ଼ିକର ଧ୍ୱଂସକୁ ଆମେ କଠୋର ଭାବେ ନିନ୍ଦା କରୁଛୁ ବୋଲି ଚାନପନ୍ହା କହିଛନ୍ତି । ବ୍ୟାକହୋ ଲୋଡର୍ ବ୍ୟବହାର କରି ବିଷ୍ଣୁ ପ୍ରତିମାକୁ ଧ୍ୱଂସ କରାଯାଉଥିବା ଭିଡିଓଗୁଡ଼ିକ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । କାମ୍ବୋଡିଆ ଓ ଥାଇଲ୍ୟାଣ୍ଡ ମଧ୍ୟରେ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ପରେ, ବିବାଦୀୟ ସୀମାଞ୍ଚଳରେ ଥିବା ବିଷ୍ଣୁ ପ୍ରତିମା ଧ୍ୱଂସ କରାଯାଇଥିବାରୁ କାମ୍ବୋଡିଆ ଥାଇ ସେନାକୁ ନିନ୍ଦା କରିଛି।
ତେବେ ଥାଇଲ୍ୟାଣ୍ଡ ଓ କାମ୍ବୋଡିଆର ସେନା ଅଧିକାରୀମାନେ ଯୁଦ୍ଧବିରତି ନେଇ ଆଲୋଚନା ଆରମ୍ଭ କରିଛନ୍ତି । ଥାଇ ରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ରିୟର୍ ଆଡମିରାଲ୍ ସୁରାସନ୍ତ କୋଙ୍ଗସିରି କହିଛନ୍ତି ଯେ, ସାଧାରଣ ସୀମା କମିଟିର ବୈଠକ ତିନି ଦିନ ଚାଲିବ ଏବଂ ଏହା ଏକ ଚୁକ୍ତିର ରାସ୍ତା ବାହାର କରିପାରେ। ସୂଚନାଯୋଗ୍ୟ, 16 ଦିନ ଧରି ହୋଇଥିବା ଭୟାବହ ସୀମା ସଂଘର୍ଷରେ 86 ଜଣଙ୍କ ମୃତ୍ୟୁ ଘଟିଛି।










