ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଯଦି ଗାଡ଼ି ଚାଳକ ନିୟମ ଭାଙ୍ଗିଲେ କଟିବ DL ଏବଂ ମହଙ୍ଗା ହେବ ବୀମା । ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ‘ପେନାଲ୍ଟି ପଏଣ୍ଟ’ । ସୁରକ୍ଷିତ ଡ୍ରାଇଭିଂ, ଡିଜିଟାଲ୍ ଟ୍ରାକିଂ ଓ ଦୁର୍ଘଟଣା ହ୍ରାସ କରିବା ଏହାର ଲକ୍ଷ୍ୟ ରହିଛି । ଖୁବଶୀଘ୍ର ଏହି ନିୟମ ଲାଗୁ ହେବାକୁ ଯାଉଛି । ତେଣୁ ଏଣିକି କେବଳ ଟ୍ରାଫିକ ନିୟମ ଭାଙ୍ଗିଲେ ଚାଲାଣରେ କାମ ସରିବ ନାହିଁ, ବରଂ ଡ୍ରାଇଭରଙ୍କ ଲାଇସେନ୍ସ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇବ । ସେହିପରି ଗାଡ଼ିର ବୀମା ଉପରେ ମଧ୍ୟ ବଡ଼ ପ୍ରଭାବ ପଡ଼ିବ । ଯଦି ଅଧିକ ଥର ନିୟମ ଭାଙ୍ଗନ୍ତି ଏବଂ ପେନାଲ୍ଟି ପଏଣ୍ଟ ଅଧିକ ରୁହେ, ତେବେ ବୀମା କମ୍ପାନୀଗୁଡ଼ିକ ଆପଣଙ୍କୁ ଜଣେ ‘ବେପରୁଆ ଚାଳକ’ ଭାବେ ଗଣନା କରିବେ । ଫଳରେ ଗାଡ଼ି ବୀମା ନବୀକରଣ ସମୟରେ ଅଧିକ ପ୍ରିମିୟମ ଦେବାକୁ ପଡ଼ିବ । ଅର୍ଥାତ୍ ଭଲ ଗାଡ଼ି ଚାଳକଙ୍କୁ କମ୍ ଟଙ୍କା ଏବଂ ନିୟମ ଭାଙ୍ଗୁଥିବା ଚାଳକଙ୍କୁ ଗାଡ଼ି ବୀମା ପାଇଁ ଅଧିକ ଟଙ୍କା ମଧ୍ୟ ଦେବାକୁ ପଡ଼ିବ । ନୂଆ ନିୟମ ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ ସହ ଗାଡ଼ିର ବୀମା ମଧ୍ୟ ସଂଯୋଗ ହେବ। ପ୍ରତ୍ୟେକ ଡ୍ରାଇଭିଂ ଲାଇସେନ୍ସରେ କିଛି ନିର୍ଦ୍ଦିଷ୍ଟ ପଏଣ୍ଟ ରହିବ । ଯଦି ଗାଡ଼ି ଚାଳକ କୌଣସି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରନ୍ତି ତେବେ ଜୋରିମାନା ସହିତ ସଂପୃକ୍ତ ଡ୍ରାଇଭରଙ୍କ ଲାଇସେନ୍ସରୁ ପଏଣ୍ଟ ମଧ୍ୟ କଟାଯିବ । ଓଭର ସ୍ପିଡିଂ, ବେପରୁଆ ଗାଡ଼ି ଚାଳନା ବା ହେଲମେଟ୍ ନପିନ୍ଧିବା ପାଇଁ ଡ୍ରାଇଭରଙ୍କ ଲାଇସେନ୍ସରୁ ପଏଣ୍ଟ କଟିବ । ଏହି ପଏଣ୍ଟ ନିର୍ଦ୍ଦିଷ୍ଟ ସୀମା ପାର୍ କରିଯାଏ, ପରେ ଲାଇସେନ୍ସ ରଦ୍ଦ ହୋଇପାରେ କିମ୍ବା ଆପଣଙ୍କୁ ପୁଣିଥରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିପାରେ ।

LEAVE A REPLY

Please enter your comment!
Please enter your name here