ବ୍ରହ୍ମପୁରର ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ଆଜି ବ୍ରହ୍ମପୁର ପୋକ୍ସୋ କୋର୍ଟ ଏକ ଗୁରୁତ୍ୱପୂର୍ଣ ରାୟ ଶୁଣାଇଛନ୍ତି। ଉପଯୁକ୍ତ ପ୍ରମାଣ ଆଧାରରେ ୬ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଅଭିଯୁକ୍ତମାନେ ହେଲେ ଓଁମକାର ଜେନା, ରୁଦ୍ର ଜେନା,ଆକାଶ ନାୟକ , ଜୁମନ୍ ଗୌଡ଼,ଅଭିଳାଶ ପଲେଇ ଓ ରୁତୁନ୍ କୁମାର ଦାସ,। ସୁଚନା ଅନୁଯାୟୀ,୨୦୨୪ ମଇ ମାସ ୩ ତାରିଖରେ ବ୍ରହ୍ମପୁର ବିଏନପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁକ୍ତ ୨ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ନାବାଳିକା ଜଣକ ଟ୍ୟୁସନ୍ ସାରି ଘରକୁ ଫେରିବା ପାଇଁ ରାସ୍ତାରେ ବାପାଙ୍କୁ ଅପେକ୍ଷା କରିଥିବା ବେଳେ ରୁତୁନ୍ ନାମକ ଯୁବକ ତାକୁ ତାର ଘରକୁ ଡ଼ାକି ନେଇଥିଲା। ଘରେ ମାଆ, ଭଉଣୀ ଅଛନ୍ତି କହି ପାନୀୟ ଦ୍ରବ୍ୟରେ ନିଶା ମିଶାଇ ତାକୁ ପିଇବାକୁ ଦେଇଥିଲା। ଏହା ପରେ ଜଣେ ଜଣେ ହୋଇ ୬ ଜଣ ରାତି ୧୦ ଟା ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସେଠାରୁ ଖସି ଆସି ପିଡ଼ିତା ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ନାବାଳିକା ଛାତ୍ରୀଙ୍କ ପୁରୁଷ ବନ୍ଧୁ ଓ ସାଙ୍ଗମାନେ ମଧ୍ୟ ସଂପୃକ୍ତ ଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା, କୋର୍ଟରେ ଏହି ମାମଲାର ବିଚାରଧୀନ ଥିଲା। ଏବେ ଉପଯୁକ୍ତ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଦଣ୍ଡାଦେଶ ଦିଆଯାଇଛି।














