ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ରାଜନୀତି। ଏହି ପ୍ରକଳ୍ପ ଉପରେ ପୁନର୍ବିଚାର କରିବାକୁ ରାଜ୍ୟ ସରକାରଙ୍କ ନିକଟକୁ ବହୁତ୍ ଗୁହାରୀ ଆସୁଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ମେଟ୍ରୋ ପ୍ରକଳ୍ପ ପାଇଁ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ପୁନଃ ବିଚାର କରିବାକୁ ଅନୁରୋଧ କରିଛନ୍ତି । ସାଂସଦ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱର ସହରରେ ଜନବସତି ବଢ଼ିବା ସହିତ ଲୋକଙ୍କ ପାଇଁ ଏକ ଆଧୁନିକା ପରିବହନ ବ୍ୟବସ୍ଥାର ଜରୁରୀ ଅଛି । ମେଟ୍ରୋ ଭୁବନେଶ୍ୱର ସହିତ କଟକ, ଖୋର୍ଦ୍ଧା ଓ ଜଟଣୀକୁ ସଂଯୋଗ କରିବ । ମେଟ୍ରୋ ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ମହିଳା, ଶିଶୁ, ଛାତ୍ରଛାତ୍ରୀ, ଅଫିସ ଯାଉଥିବା କର୍ମଚାରୀଙ୍କ ପାଇଁ ଏକ ଭଲ ପରିବହନ ବ୍ୟବସ୍ଥା ଦେଇପାରିବ । ଏଥିପାଇଁ ସେ ନିଜେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖିଥିଲେ, ଯାହା ତାଙ୍କୁ ବହୁତ ଆକୃଷ୍ଟ କରିଥିଲା । ଏହି ପ୍ରକଳ୍ପ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ବେଶ ଲାଭଦାୟକ ହେବ । କେବଳ ଜନସଂଖ୍ୟା ଓ ଆର୍ଥିକ କାରଣକୁ ନେଇ ଏହାକୁ ବନ୍ଦ କରିବା ଉଚିତ ହେବ ନାହିଁ ବୋଲି ସାଂସଦ କହିଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ, ସରକାର ଲାଭ ପାଇଁ ନୁହେଁ ବରଂ ବୃହତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି କିଛି ଉନ୍ନୟନମୂଳକ ପ୍ରକଳ୍ପ ହାତକୁ ନେଇଛନ୍ତି । ଭାରତର କୌଣସି ମେଟ୍ରୋ ତୁରନ୍ତ ଲାଭ ପାଇବାର ଆଶା ନେଇ କାର୍ଯ୍ୟକାରୀ କରାଯାଇ ନାହିଁ। ଏଗୁଡ଼ିକୁ ସମ୍ପୃକ୍ତ ରାଜ୍ୟ ସରକାର ସବସିଡି ଦିଅନ୍ତି । ତେଣୁ ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଜନସାଧାରଣଙ୍କ ସମର୍ଥନ ସ୍ପଷ୍ଟ ଭାବରେ ଦେଖାଯାଉଛି । ଜନସାଧାରଣଙ୍କ ଇଚ୍ଛା ଏବଂ ଚାହିଦାକୁ ଅଣଦେଖା କଲେ, ଜନସାଧାରଣଙ୍କ ଆଶା ଏବଂ ବିକାଶ ପ୍ରତିଶ୍ରୁତି ଉପରେ ଥିବା ବିଶ୍ୱାସକୁ ଦୁର୍ବଳ କରିବାର ଆଶଙ୍କା ରହିଛି। ତେଣୁ ୪ ଏପ୍ରିଲ, ୨୦୨୬ରେ ନିଆଯାଇଥିବା ରାଜ୍ୟ କ୍ୟାବିନେଟ ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here