ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେଲା ପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକା ଯାତ୍ରା କରିଛନ୍ତି। ଇସଲାମାବାଦ ଆଲୋଚନା ପାଇଁ ଇରାନର ପ୍ରଥମ ପ୍ରତିକ୍ରିୟା ଆସିଛି। ଆଇଆରଜିସି କହିଛି ଯେ,”ଏହା କୌଣସି ଆତ୍ମସମର୍ପଣ ସର୍ତ୍ତାବଳୀ ଗ୍ରହଣ କରେ ନାହିଁ।” ଇରାନର ସାମରିକ ମୁଖପାତ୍ର ଇବ୍ରାହିମ ଜୁଲଫିକାରି କହିଛନ୍ତି ଯେ, ଆମେରିକା ସହିତ ଆମର ଆଲୋଚନା ବିଫଳ ହୋଇଛି। ଆମେ କୌଣସି ଆତ୍ମସମର୍ପଣ ସର୍ତ୍ତାବଳୀ ଗ୍ରହଣ କରୁନାହୁଁ। ଆମେ ଆମର କୌଣସି ସର୍ତ୍ତାବଳୀରେ ସାଲିସ କରିବୁ ନାହିଁ। ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ, ସେମାନେ କୌଣସି ନିଷ୍କର୍ଷରେ ପହଞ୍ଚି ନାହାନ୍ତି। ସେମାନେ ଏଠାକୁ ସ୍ପଷ୍ଟ ଉଦ୍ଦେଶ୍ୟ ନେଇ ଆସିଥିଲେ। କିନ୍ତୁ ଇରାନ ଚୁକ୍ତିର ସର୍ତ୍ତାବଳୀ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ସେ କହିଛନ୍ତି ଯେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅବଗତ କରାଇବା ପାଇଁ ଆମେରିକା ଯାଉଛନ୍ତି। ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ନେତୃତ୍ୱରେ ଏକ ଆମେରିକୀୟ ପ୍ରତିନିଧିମଣ୍ଡଳ ଶନିବାର ପାକିସ୍ତାନରେ ଶୀର୍ଷ ଇରାନୀ ଆଲୋଚନାକାରୀଙ୍କ ସହ ମୁହାଁମୁହିଁ ଆଲୋଚନା କରିଥିଲେ। ଏହି ଆଲୋଚନାର ଲକ୍ଷ୍ୟ ଥିଲା ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ଏକ ସ୍ଥାୟୀ ଶାନ୍ତି ଚୁକ୍ତିରେ ପହଞ୍ଚିବା। ଇସଲାମାବାଦର ସେରେନା ହୋଟେଲରେ ତ୍ରିପାକ୍ଷିକ ଆଲୋଚନା ପୂର୍ବରୁ, ଭାନ୍ସଙ୍କ ନେତୃତ୍ୱରେ ଆମେରିକାର ଦଳ ଏବଂ ଇରାନୀ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ନେତୃତ୍ୱରେ ଇରାନୀ ପ୍ରତିନିଧି ଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ପୃଥକ ପୃଥକ ବୈଠକ କରିଥିଲେ।ଆଲୋଚନା ପୂର୍ବରୁ ଇସଲାମାବାଦରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଏବଂ ସମଗ୍ର ଅଞ୍ଚଳରେ ରେଡ୍ ଆଲର୍ଟ ଘୋଷଣା କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ୧୦,୦୦୦ ରୁ ଅଧିକ ପୋଲିସ ଏବଂ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ଶାନ୍ତି ଆଲଚନାରେ ବିଫଳତା ପରେ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବୃଦ୍ଧିର ସମ୍ଭାବନା ସୃଷ୍ଟି କରୁଛି।













