ମହମ୍ମଦ ମୋକିମଙ୍କ ନୂତନ ଓଡ଼ିଶା ଜନତା କଂଗ୍ରେସ ଦଳର ରାଜ୍ୟ ମୁଖ୍ୟାଳୟ ଆଜି ଭୁବନେଶ୍ୱର ସତ୍ୟନଗରରେ ଉଦଘାଟିତ ହୋଇଛି । ଏହି କାର୍ଯ୍ୟାଳୟ ଉଦଘାଟନ ଅବସରରେ ମୋକିମ କହିଛନ୍ତି ଯେ, “ଏହି ସ୍ଥାନ ଓଡ଼ିଶା ରାଜନୀତିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ । ଓଡ଼ିଶାକୁ ଦିଗଦର୍ଶନ ଦେବାକୁ ଏବଂ ଲୋକଙ୍କ ସ୍ୱରରେ ସ୍ୱର ମିଳାଇ କାମ କରିବାକୁ ଓଜେଏସ୍ ତିଆରି ହୋଇଛି । ଆଗାମୀ ଦିନରେ ଓଡ଼ିଶା ରାଜନୀତିର କେନ୍ଦ୍ର ବିନ୍ଦୁ ଓ ଓଡ଼ିଶା ଲୋକଙ୍କ ସ୍ୱର ହେବ ଓଡ଼ିଶା ଜନତା କଂଗ୍ରେସ । ଆସନ୍ତା ୧୫ ତାରିଖ ବୁଧବାର ଦିନ ପ୍ରଦର୍ଶନୀ ପଡ଼ିଆଠାରେ ବିରାଟ ଗଣ ସମାବେଶ ଅନୁଷ୍ଠିତ ହେବ । ଏଥିରେ ଦଳକୁ ଲୋକାର୍ପିତ କରାଯିବ । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା କର୍ମୀମାନେ ସାମିଲ ହେବେ । ସଭାରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରାଯିବ । ଓଡ଼ିଶା ଜନତା କଂଗ୍ରେସ ଆଗାମୀ ଦିନରେ ନେତୃତ୍ୱ ସୃଷ୍ଟି କରିବ ଏବଂ ଯେଉଁମାନେ ସୁଯୋଗ ପାଇ ନାହାଁନ୍ତି ସେହିମାନେ ଏହି ମଞ୍ଚରେ ସୁଯୋଗ ପାଇବେ । ଏହା ବିକଳ୍ପ ଭାବରେ ରାଜ୍ୟବାସୀଙ୍କ ସ୍ୱର ହେବ । ବିଭିନ୍ନ ଜିଲ୍ଲାରେ ମିଶ୍ରଣ ପର୍ବ ଜାରି ରହିଛି । ସେହିପରି ଦଳ ଆଗାମୀ ପୌର ନିର୍ବାଚନ, ନୂତନ ଏନଏସି ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଭାଗ ନେବ । ତାହାହିଁ ଦଳର ପ୍ରସ୍ତୁତି ନେଇ ମାପକାଠି ହେବ । “












