ବିଜୁ ଜନତା ଦଳର ରାଜନୀତି ଏବେ ତୀବ୍ର ହୋଇଛି । ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିବା ପରେ ଅରବିନ୍ଦଙ୍କୁ ସମର୍ଥନ କରି ଆଜି ବିଜେଡିର ଶତାଧିକ କର୍ମୀଙ୍କ ସହିତ ୨୦ ସରପଞ୍ଚ ଓ ୩ ପୂର୍ବତନ ବିଜେଡ଼ି ଅଧ୍ୟକ୍ଷ ଇସ୍ତଫା ଦେଇଛନ୍ତି । ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗରଦପୁର ବ୍ଲକରେ ବିଜେଡ଼ି ମିଶ୍ରଣ ପର୍ବ ବଦଳରେ ସାମୂହିକ ଇସ୍ତଫା ପର୍ବ ଅନୁଷ୍ଠିତ ହୋଇଛି । ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥନରେ ଶତାଧିକ କର୍ମୀ ବୈଠକ କରିଥିଲେ । ଏହା ପରେ ୨୦ ଜଣ ସରପଞ୍ଚ ଓ ସମିତି ସଭ୍ୟ, ୩ ଜଣ ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ୫୦୦ରୁ ଉର୍ଦ୍ଧ୍ୱ ସାମୂହିକ ଇସ୍ତଫା ଦେଇଥିଲେ । ବ୍ଲକ୍ ଅଧ୍ୟକ୍ଷଙ୍କ ମଧ୍ୟରେ ବାସୁଦେବ ବେହେରା, ଦିଲୀପ ସାହୁ, ଓ ସ୍ଵର୍ଣ୍ଣପ୍ରଭା ସେଠୀ ଅଛନ୍ତି । ଇସ୍ତଫା ପତ୍ରରେ ଦସ୍ତଖତ ପରେ ବିଜୁ ଜନତା ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇବେ ବୋଲି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଜାନୁଆରୀ ୧୫ ତାରିଖରେ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିବା ପରେ ଏହି କର୍ମୀମାନେ ବିଜେଡି ସୁପ୍ରିମୋଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଠାରେ ଥିବା ନେତାମାନେ ନବୀନଙ୍କ ସହିତ ଭେଟ କରିବାକୁ ଅନୁମତି ଦେଇନଥିଲେ । ନିଲମ୍ବନ ପ୍ରତ୍ୟାହାର ପାଇଁ ବାରମ୍ବାର ଦାବି କରାଯାଇଥିଲା । କିନ୍ତୁ କୌଣସି ସୁଫଳ ହୋଇନଥିଲା । ଯାହା ପରେ ଗରଦପୁରର ନେତାମାନେ ଏକକାଳୀନ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here